ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ରାଜ୍ୟ ସରକାରଙ୍କ ଅସାମଞ୍ଜସ୍ୟ ନିଯୁକ୍ତି ନୀତି ପ୍ରତିବାଦରେ ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାବ୍ୟାପୀ ପ୍ରତିବାଦ ଓ ଧାରଣା ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ସମସ୍ତ ବ୍ଲକ ଏଜୁକେସନ ଅଫିସର(ବିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ୩ ଦଫା ଦାବି ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଆେନ୍ଦୋଳନ କରିଛନ୍ତି।

ରାଜ୍ୟ ସରକାର ୨୦୧୩  ମସିହା ପରଠାରୁ ନିଯୁକ୍ତ ଠିକାଭିତ୍ତିକ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିଛନ୍ତି। ହେଲେ ୨୦୦୧ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ କ୍ଷେତ୍ରରେ ସମାନ ନିୟମ ଲାଗୁ ହୋଇନଥିବାରୁ ଏହାକୁ ଏଲିମେଣ୍ଟାରୀ ଶିକ୍ଷକ ସଂଘ ବିରୋଧ କରିଛି।

ସରକାର ସମାନ ନିଯୁକ୍ତି ନୀତି ଆପଣାଇ ୨୦୧୩  ପୂର୍ବର ଏଲିମେଣ୍ଟାରୀ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ଭାବେ ସମସ୍ତ ସୁବିଧା ପ୍ରଦାନ କରିବା, କେନ୍ଦ୍ରୀୟ ବେତନ ହାର ଲାଗୁ କରିବା ସହ ପୂରାତନ ପେନସନ ସ୍କିମ ପ୍ରଚଳନ କରିବାକୁ ଶିକ୍ଷକମାନେ ଦାବି କରିଛନ୍ତି। ବ୍ଲକ ଏଜୁକେସନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ନୟାଗଡ଼ ଜିଲ୍ଲା ମୁଖ୍ୟାଳୟରୁ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହାପରେ ବ୍ଲକ ଏଜୁକେସନ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଲିମେଣ୍ଟାରୀ ଶିକ୍ଷକ ସଂଘର ସଦସ୍ୟ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ପୀତବାସ ପ୍ରଧାନ, ସୁରେଶ ସେଠୀ, ଲକ୍ଷ୍ମୀଧର ସାହୁ, ସଂଗ୍ରାମ ସାହୁ, ସଲିମ୍ ଇବ୍ରାହୀମ୍, ପ୍ରଦୀପ ସାହୁ ପ୍ରମୁଖ ଅନ୍ଦୋଳନର ନେତୃତ୍ୱ ନେଇଥିଲେ।

ଶିକ୍ଷୟିତ୍ରୀ ସୂଚିସ୍ମିତା ମିଶ୍ର, ମିନାକ୍ଷୀ କର, ସୁଜାତା ପଟ୍ଟନାୟକ, ନମିତା ରଥ, ସୁମିତା ମିଶ୍ର, ମମତା ବରାଡ଼ ପ୍ରମୁଖ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଥିଲା।ପ୍ରାଥମିକ ଶିକ୍ଷକ ସଂଘର ଶେଖ ଅବଦୁଲ ଖାଲିକ, ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର, ଉମେଶ ସ୍ୱାଇଁ ପ୍ରମ୍ମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଛନ୍ତି। ଆସନ୍ତା ୨୭ ତାରିଖରେ ଶିକ୍ଷକଙ୍କ ଦାବି ପୂରଣ ନେଇ ରାଜଧାନୀ ଚାଲ ଡାକରା ଦେଆଯାଇଛି।

Tags: #Teachers #Nayagarh #Rally #BEOOffice

Comment