ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଫା ଫୁଟବଲ ବିଶ୍ଵକପ୍-୨୦୨୨ ରବିବାର କତାରରେ ଉଦଘାଟିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଆତସବାଜିରେ ଉତ୍ସବମୁଖର ଦୋହାର ଅଲ ବାୟତ୍ ଷ୍ଟାଡିୟମରେ ଏହି ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି।

ଉଦଘାଟନୀ ଦିନର ପ୍ରଥମ ମ୍ୟାଚ୍ କତାର ଓ ଇକ୍ଵେଡର ମଧ୍ୟରେ ଖେଳାଯାଇଥିଲା। ଗ୍ରୁପ୍-ଏ ରେ ଏହି ଲିଗ୍ ମ୍ୟାଚରେ ଇକ୍ଵେଡର୍ ୨-୦ ଗୋଲରେ ଆୟୋଜକ କତାରକୁ ପରାସ୍ତ କରିଛି। ଇକ୍ଵେଡର ଅଧିନାୟକ ଏନର ଭେଲେନସିଆ ୨ଟି ଗୋଲ ଦେଇ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ବହନ କରିଥିଲେ।

ବିଶ୍ଵକପର ଉଦଘାଟନୀ ଉତ୍ସବରେ ଓସ୍କାର ବିଜେତା ଆମେରିକୀୟ ଅଭିନେତା ମୋର୍ଗାନ ଫ୍ରିମାନଙ୍କ ଉପସ୍ଥିତି ଦର୍ଶକଙ୍କୁ ଉଲ୍ଲସିତ କରିଥିଲା। ଏହାପରେ ବିଟିଏସ ବ୍ୟାଣ୍ଡ ଗ୍ରୁପର ଗାୟକ ଜଙ୍ଗ କୁକ ‘ଡ୍ରିମସ’ ଗୀତ ପରିବେଷଣ କରିଥିଲେ। ଏଠାରେ କାତାର ବିଶ୍ଵକପ ମାସ୍କଟ ଲାଇବ ସମେତ ପୂର୍ବ ବିଶ୍ଵକପମାନଙ୍କର ମସ୍କଟଗୁଡିକର ପ୍ରଦର୍ଶନ ବେଶ ଆକର୍ଷଣୀୟ ଥିଲା।

ସୋମବାର ଫିଫା ବିଶ୍ଵକପରେ ୩ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍-ବି ରେ ଇଂଲଣ୍ଡ ଓ ଇରାନ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯିବ। ଏହାପରେ ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍-ଏ ରେ ସେନେଗଲ ଓ ନେଦରଲାଣ୍ଡସ୍ ମଧ୍ୟରେ ରାତି ୯ଟା ୩୦ ମିନିଟରେ ଖେଳାଯିବ । ସେହିପରି ତୃତୀୟ ମ୍ୟାଚଟି ଗ୍ରୁପ୍-ବି ରେ ଆମେରିକା ଓ ୱେଲ୍ସ ମଧ୍ୟରେ ରାତି ୧୨ଟା ୩୦ ମିନିଟରେ ଖେଳାଯିବ।

 

ରବିବାର ଠାରୁ ଆରମ୍ଭ ହୋଇଥିବା ଲିଗ୍ ପର୍ଯ୍ୟାୟ ଡିସେମ୍ବର ୨ତାରିଖରେ ଶେଷ ହେବ। ଏହାପରେ ଡିସେମ୍ବର ୩ତାରିଖରୁ ନକ୍ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ସେହିପରି ଡିସେମ୍ବର ୧୩ ଓ ୧୪ ତାରିଖରେ ସେମିଫାଇନାଲ ଏବଂ ୧୮ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ।

Tags: #FIFAWorldCup2022 #Qatar #Ecuador #Football #FIFA #OdishaLive #Sports

Comment