ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ସୋମବାର ସକାଳେ ଭୟଙ୍କର ଦୁର୍ଘଟଣା ପରେ ୮ଟି ଟ୍ରେନ ବାତିଲ କରାଯିବା ସହ ୧୨ଟି ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି। ଦୁର୍ଘଟଣା ପରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ପାଇଁ ହେଲପ ଲାଇନ ନମ୍ବର ଜାରି କରାଯାଇଛି।

କୋରେଇ ଷ୍ଟେସନ ପାଇଁ ୮୪୫୫୮୮୯୯୦୫, ୮୪୫୫୮୮୭୮୬୪ ଓ ୮୪୫୫୮୮୭୮୬୨ ହେଲ୍ପ ଲାଇନ ନମ୍ବର ରହିଥିବାବେଳେ ଭୁବନେଶ୍ଵର ପାଇଁ ୦୬୭୪-୨୫୩୪୦୨୭ ଏବଂ ଖୋର୍ଦ୍ଧା ରୋଡ କଣ୍ଟ୍ରୋଲ ନମ୍ବର ୦୬୭୪-୨୪୯୨୨୪୫ ରହିଛି।

ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ କୋରେଇ ରେଳ ଷ୍ଟେସନ ପ୍ଲାଟଫର୍ମ ଉପରକୁ ୮ରୁ ଅଧିକ ବଗି ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କୋକେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ବଗି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୫ ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ପାଇଁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ରେଳ ବିଭାଗ। ଅନ୍ୟ ପଟେ ରାଜ୍ୟ ସରକାର ମଧ୍ୟ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Tags: #Jajpur #Korei #Accident #Death #HelplineNumber

Comment