ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମୁପର ବିଧାନସଭା ଉପନିର୍ବାଚନ ଲାଗି ମଇଦାନରେ ରାଜନୈତିକ ଲଢ଼େଇ ଲଢ଼ିବେ ୧୦ ଜଣ ପ୍ରାର୍ଥୀ। ନଭେମ୍ବର ୨୧ ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖରେ ଜଣେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାବେଳେ ଦୁଇଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି। ଗତ ୧୭ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ମୋଟ ୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ନଭେମ୍ବର ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିଲା। ମୋଟ ୧୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିଲା ଏବଂ ଜଣେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଏବେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨,୫୭,୪୭୪ ଜଣ ଭୋଟର।

ପଦ୍ମପୁର ନିର୍ବାଚନ ମଇଦାନରେ ଜମୁଛି ପ୍ରଚାର। ବିଭିନ୍ନ ଦଳର ପ୍ରାର୍ଥୀ ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତା ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ଏବଂ ୮ ତାରିଖରେ ଭୋଟ ଗଣତି ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ।

ପଦ୍ମପୁରର ନିର୍ବାଚନ ଲାଗି ଡିସେମ୍ବର ୫ ତାରିଖ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହେବ ମତଦାନ ହେବ। ଏଥର ଉପନିର୍ବାଚନ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣ ନିର୍ବାଚନ ଭଳି ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୨,୫୭,୪୭୪ ଜଣ ଭୋଟରଙ୍କ ମଧ୍ୟରେ ୧,୨୯,୪୯୭ ଜଣ ପୁରୁଷ ଭୋଟର ରହିଥିବାବେଳେ ୧,୨୭,୯୬୫ ମହିଳା ଭୋଟର ଏବଂ ୧୨ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। ସେହିପରି ୨,୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊର୍ଦ୍ଧ୍ଵ ଭୋଟରଙ୍କ ସଂଖ୍ୟା ରହିଛି ୪,୩୯୩। ଏହି ନିର୍ବାଚନ ମଣ୍ଡଳୀରେ ୧୯୯ ଜଣ ଚାକିରିଆ ଭୋଟର ରହିଛନ୍ତି।

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ୨୭୯ଟି ବୁଥରେ ମତଦାନ ହେବ। ଗୋଟିଏ ବୁଥରେ ସର୍ବାଧିକ ୧,୫୦୦ ଜଣ ମତଦାନ କରିବେ।

ଏଥର ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ଏବଂ ଏହାର ହିସାବ ଫଳାଫଳ ଘୋଷଣା ହେବାର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ଏହା ସହିତ ଅପରାଧିକ ପୃଷ୍ଟମୂଭି ଥିବା ପ୍ରାର୍ଥୀମାନେ ସେମାନଙ୍କ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମରେ ୩ ଥର ଖବରକାଗଜ ଏବଂ ଟେଲିଭିଜନ ମାଧ୍ୟମରେ ପଚାର କରିବେ। ସେହିପରି ସମ୍ପୃକ୍ତ ରାଜନୈତିକ ଦଳ ପକ୍ଷରୁ ୩ ଥର ଖବରକାଗଜ ଓ ଟେଲିଭିଜନ ଜରିଆରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଟଭୂମି ସମ୍ପର୍କରେ ପ୍ରଚାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ୫୦ ପ୍ରତିଶତ ବୁଥରେ ଓ୍ଵେବକାଷ୍ଟିଂ କରାଯିବା ସହ ଉତ୍ତେଜନା ପ୍ରବଣ ବୁଥଗୁଡ଼ିକରେ ୩୫ ଜଣ ଅଣୁ-ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରାଯିବାକୁ ନିଷ୍ପତ୍ତି ହୋଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗୃହ ମନ୍ତ୍ରାଳୟ ଦ୍ଵାରା ୫ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୋଲିସ ବଳଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

ପଦ୍ମପୁର ବିଧାୟକ ବିଜୟ ରଞ୍ଜ ସିଂ ବରିହାଙ୍କ ବିୟୋଗ ପରେ ଖାଲିପଡ଼ିଥିବା ଆସନ ଲାଗି ଉପନିର୍ବାଚନ ହେବାକୁ ଯାଉଛି।

Tags: #Politics #OdishaPolitics #PadampurPolitics #ByElection #Candidate #Voter

Comment