ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ପଦ୍ମପୁର ବିଧାନସଭା ଉପନିର୍ବାଚନ। ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ମଇଦାନ। ପଦ୍ମପୁର ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗିଛନ୍ତି ପ୍ରାର୍ଥୀ।

ପଦ୍ମପୁର ବିଧାନସଭା ଉପନିର୍ବାଚନ ତାରିଖ ପାଖେଇ ଆସୁଛି। ପ୍ରଚାର ଲାଗି ମଇଦାନକୁ ଓହ୍ଲାଇଛନ୍ତି ୧୦ ପ୍ରାର୍ଥୀ। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର କରାଯାଉଥିବାବେଳେ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ପଦ୍ମପୁର ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ପଦ୍ମପୁର ନିର୍ବାଚନ ମଇଦାନରେ ବିଜେଡି ଏବଂ ବିଜେପିର ପ୍ରଚାର ଜୋରଦାର ହେଉଥିବା ଦେଖିବାକୁ ମିଳୁଛି। ପାରମ୍ପରିକ ବାଦ୍ୟରେ କମ୍ପୁଛି ନିର୍ବାଚନୀ ମଇଦାନ।

ପ୍ରଚାର ବେଳେ କାନ୍ଦିଲେ ବର୍ଷା

ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଦଳର ହେଭିଓ୍ଵେଟଙ୍କୁ ସାଙ୍ଗରେ ଧରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। କେତେବେଳେ ଭୋଟରଙ୍କ ସାଙ୍ଗେ ଦାଣ୍ଡରେ ବସି ଚା’ ପିଉଛନ୍ତି ତ କେତେବେଳେ ପଖାଳ ଖାଉଛନ୍ତି। ଆଉ କେତେବେଳେ ନିଜ ବାପା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ କଥା ମନେ ପକାଇ ଭାବବିହ୍ଵଳ ହୋଇପଡ଼ୁଛନ୍ତି।

ନିକଟରେ ବଜେପି ବର୍ଷାଙ୍କୁ ପଦ୍ମପୁର ମାଟିର ନୁହେଁ ବୋଲି କହିବାରୁ ଏହାର ଜବାବ ଦେଇଥିଲେ ବର୍ଷା। ସେ କହିଥିଲେ “ମୁଁ ଏଇ ପଦ୍ମପୁର ମାଟିର ଝିଅ। ଏଇଠି ଜନ୍ମ ହେଇଛି, ଏଇଠି ବଢ଼ିଛି, ଲୋକଙ୍କ ସୁବିଧା ଅସୁବିଧା କଥା ଅନୁଭବ କରିଛି। ପଦ୍ମପୁର ପାଇଁ ମୋ ବାପାଙ୍କର ଯେଉଁ ସ୍ଵପ୍ନ ଥିଲା ତାକୁ ମୁଁ ପୂରା କରିବାକୁ ଚେଷ୍ଟା କରିବି। ମୋ ବିରୋଧରେ ଯେଉଁମାନେ ଅପପ୍ରଚାର କରୁଛନ୍ତି, ଦୟାକରି ବନ୍ଦ କରନ୍ତୁ। ମୋ ବାପାଙ୍କୁ ହରାଇ ମୁଁ ଦୁଃଖରେ ଭାଙ୍ଗି ପଡ଼ିଛି, ମୋ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ।”

ଚାଉଳ ପାଛୁଡ଼ିଲେ ପ୍ରଦୀପ ପୁରୋହିତ

ପଦ୍ମପୁର ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ବାଟ କାଢ଼ିଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଭୋଟ ମାଗିବାକୁ ଆପଣାଉଛନ୍ତି ନୂଆ ନୂଆ ଟ୍ରିକ୍। ସାଇକେଲ ଚଢ଼ି ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି ପ୍ରଦୀପ ପୁରୋହିତ କେତେବେଳେ କୀର୍ତ୍ତନ କରୁଛନ୍ତି ତ କେତେବେଳେ କ୍ରିକେଟ ଖେଳୁଛନ୍ତି। ଗାଁ ପିଣ୍ଡାରେ ବସି ଲୋକଙ୍କୁ ଭୋଟ ମାଗିବା ସହ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି।

ପଛରେ ନାହିଁ କଂଗ୍ରେସ

ପ୍ରଦ୍ମପୁର ବିଜୟ ପାଇଁ ବିଜେଡି ଏବଂ ବିଜେପିର ପ୍ରଚାର ଜୋରସୋର ଚାଲିଥିବାବେଳେ ଟିକେ ପଛରେ ରହିଯାଇଛି କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଦଳର ବରିଷ୍ଠ ନେତା ଏବଂ ସମର୍ଥକଙ୍କ ଗହଣରେ ଯାଇ ଭୋଟ ମାଗୁଛନ୍ତି। ଗାଁକୁ ଗାଁ ଯାଇ ଲୋକଙ୍କ ପାଖରେ ବସି ସେମାନଙ୍କ ସାଙ୍ଗରେ ଚା’ ପିଉଛନ୍ତି ଏବଂ ଜଳଖିଆ ଖାଉଛନ୍ତି। ଲୋକଙ୍କ ସମସ୍ୟା ବୁଝୁଛନ୍ତି ଏବଂ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି।

ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ହେବ ଭୋଟ ଗ୍ରହଣ ଏବଂ ୮ ତାରିଖରେ ଭୋଟ ଗଣତି ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ।

ଡିସେମ୍ବର ୫ ତାରିଖ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହେବ ମତଦାନ ହେବ। ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨,୫୭,୪୭୪ ଜଣ ଭୋଟର ନିର୍ଦ୍ଧାରଣ କରିବେ ପ୍ରାର୍ଥୀମାନଙ୍କ ଭାଗ୍ୟ।

Tags: #Politics #OdishaPolitics #PadampurPolitics #Byelection #BJD #BJP #Congress #BarshaSinghBariha #PradeepPurohit #SatyabhushanSahoo #Campaign

Comment