ଓଡ଼ିଶାଲାଇଭ୍ ବ୍ୟୁରୋ

୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମରେ ବିଳମ୍ବ ଯୋଗୁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଏନଏଚ ୫୫ର ଦୁରବସ୍ଥା ନେଇ ବିଜେଡି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳ ୮ଟାରୁ ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ଏହି ବନ୍ଦ ପାଳନ କରାଯଉଛି। ଢେ଼ଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ନେତୃତ୍ବରେ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି।

ଏନଏଚ ୫୫ର ଢେଙ୍କାନାଳ କଲେଜ ବାଇପାସଠାରେ ଅବରୋଧ କରାଯାଇଛି। ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି ।  ଶତାଧିକ ଆନ୍ଦୋଳନକାରୀ ରାସ୍ତାରେ ବସି କେନ୍ଦ୍ର ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି ଦେଉଛନ୍ତି।

ଦୀର୍ଘ ୫ବର୍ଷରୁ ଉର୍ଦ୍ଧ ସମୟ ଧରି ରାସ୍ତା କାମ ଶେଷ ନହେବାରୁ ଜାତୀୟ ରାଜପଥ ୫୫ ଉପରେ ଯାତାୟାତ କଷ୍ଟସାଧ୍ୟ ହୋଇ ପଡ଼ିଛି। ରାଜପଥ କାର୍ଯ୍ୟ କେବେ ସରିବ ତାହାର କୌଣସି ସଠିକ୍ ତଥ୍ୟ ମିଳିପାରୁ ନାହିଁ । ଯାହାକୁ ନେଇ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାସ୍ତା ଖରାପ ଯୋଗୁ ଅନେକ ଥର ଦୁର୍ଘଟଣା ଘଟି ବହୁ ଲୋକ ପ୍ରାଣ ହରାଉଛନ୍ତି। ଏଥିପାଇଁ ଢେ଼ଙ୍କାନାଳ କଲେଜ ବାଇପାସ୍ ଛକରେ ପ୍ରତିବାଦ ସ୍ଵରୂପ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଜେଡ଼ି କର୍ମକର୍ତ୍ତାମାନେ ୪ ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କରୁଛନ୍ତି।

Tags: #Strike #NH55 #Redevelopment #BJD #Dhenkanal #Angul

Comment