ଓଡ଼ିଶାଲାଇଭ୍ ବ୍ୟୁରୋ

ଚେନ୍ନାଇରେ ଡିସେମ୍ବର ମାସ ୬ ତାରିଖରେ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ରେଜେଷ୍ଟ୍ରିର ବୈଠକ ଅନୁଷ୍ଠିତ ହେବ। ଏହି ଜିଆଇ ଟ୍ୟାଗ ପାଇଁ ଓଡ଼ିଶାରୁ ଗଜପତି ଜିଲ୍ଲାର ଖଜୁରୀ ଗୁଡ଼, କଟକର ରୁପା ତାରକସୀ ହସ୍ତଶିଳ୍ପ, ମୟୂରଭଞ୍ଜର କାଇ ଚଟଣୀ, ଢ଼େଙ୍କାନାଳର ମଇଁଷି କ୍ଷୀରରେ ତିଆରି ମଗଜି ସହିତ କେନ୍ଦ୍ରାପଡ଼ାର ରସାବଳୀ ଦୌଡ଼ରେ ରହିଛନ୍ତି।

ଜିଆଇ ରେଜେଷ୍ଟ୍ରିର ଏକ ବିଶେଷଜ୍ଞ କମିଟି ୬ ତାରିଖରେ ହେବାକୁ ଥିବା ବୈଠକରେ ଓଡ଼ିଶାର ୫ଟି ଜିନିଷକୁ ଜିଆଇ ଟ୍ୟାଗ ଦିଆଯିବାକୁ ନେଇ ନିଷ୍ପତ୍ତି ନେବ। ଏଥିପାଇଁ ଉକ୍ତ ଦ୍ରବ୍ୟଗୁଡିକର ପ୍ରାରମ୍ଭିକ ଯାଞ୍ଚ କରାଯାଇ କମିଟିକୁ ରିପୋର୍ଟ ଦିଆଯାଇଛି। ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ ପାଇଁ ସମସ୍ତ ସର୍ତ୍ତାବଳୀକୁ ପୂରଣକଲେ ଜିଆଇ ଟ୍ୟାଗ ଆବେଦନକୁ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଓଡ଼ିଶାରୁ ୩ଟି ଖାଦ୍ୟପଦାର୍ଥ ମୟୂରଭଞ୍ଜର କାଇ ଚଟଣୀ, ଢ଼େଙ୍କାନାଳର ଗଁଦିଆ ବ୍ଲକର ମହିଁଷି କ୍ଷୀର ଲହୁଣୀରେ ତିଆରି ମଗଜି ଓ କେନ୍ଦ୍ରାପଡ଼ାର ରସାବଳୀ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଛି। ଏଥିମଧ୍ୟରୁ ମୟୂରଭଞ୍ଜର କାଇ ଚଟଣୀ ଓ ଢ଼େଙ୍କାନାଳର ମଗଜି ପାଇଁ ୨୦୨୦ ମସିହାରେ ଓୟୁଏଟି ପକ୍ଷରୁ ଆବେଦନ କରଯାଇଥିଲା।

ଓଡ଼ିଶା ହସ୍ତଶିଳ୍ପ ସମବାୟ ସଙ୍ଘ କଟକର ରୁପା ତାରକସୀ ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ ପାଇଁ ଆବେଦନ କରିଥିଲା। ସେହିପାରି କେନ୍ଦ୍ରାପଡ଼ା ଜିଲ୍ଲା ରସାବଳୀ ନିର୍ମାତା ସଙ୍ଘ ରସାବଳୀ ପାଇଁ ଏବଂ ଓଡ଼ିଶା ତାଳଗୁଡ଼ ସମବାୟ ସଂଘ ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲା।

କୌଣସି ଏକ ନିର୍ଦ୍ଧିଷ୍ଟ ଭୌଗଳିକ ଅଞ୍ଚଳର ଏକ ଦ୍ରବ୍ୟ ବା ଉତ୍ପାଦ ଯାହା ସେହି ଅଞ୍ଚଳର ଜିନିଷ ରୂପେ ପରିଚିତ ହୋଇଥାଏ ତାହାକୁ ଜିଆଇ ଟ୍ୟାଗ ଦିଆଯାଏ। ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଅଧିନ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ ରେଜେଷ୍ଟ୍ରି ଏହି ଟ୍ୟାଗ ପ୍ରଦାନ କରେ।

Tags: #GeographicalIndicationregistry #GItag #5products #Odisha

Comment