ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। କରୋନା ଟିକା ଦ୍ୱାରା ହୋଇଥିବା କଥିତ ମୃତ୍ୟୁ ପାଇଁ କେନ୍ଦ୍ର ସରକାର କୌଣସି ଦାୟିତ୍ୱ ନେବାକୁ ମନା କରିଦେଇଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ମୃତକ ଏବଂ ସେମାନଙ୍କ ପରିବାରବର୍ଗ ପ୍ରତି ଆମର ସହାନୁଭୂତି ରହିଛି, କିନ୍ତୁ ଟୀକାକରଣ ପରେ କୌଣସି ପ୍ରତିକୂଳ ପ୍ରଭାବ ପାଇଁ ଆମକୁ ଦାୟୀ କରାଯାଇ ପାରିବ ନାହିଁ।

ସୂଚନା ଅନୁଯାୟୀ, ଗତ ବର୍ଷ କରୋନା ଟିକା ନେବାପରେ କଥିତ ରୂପେ ଦୁଇ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଯୁବତୀଙ୍କ ବାପା ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାଚିକାରେ ସୁପ୍ରିମକୋର୍ଟଙ୍କୁ କରୋନା ଟିକା ଦ୍ୱାରା ହୋଇଥିବା ଏହି ମୃତ୍ୟୁର ନିରପେକ୍ଷ ଯାଞ୍ଚ କରାଇବା ସହ ଟୀକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେବା ପୂର୍ବରୁ ତାହାକୁ ଚିହ୍ନଟ କରି ସେଥିରୁ ରକ୍ଷା ପାଇବାର ଉପାୟ ବାହାର କରିବା ପାଇଁ ବିଶେଷଜ୍ଞଙ୍କ ବୋର୍ଡ ବନାଇବାର ଆଦେଶ ଦେବାକୁ ଦାବି କରାଯାଇଥିଲା।

ଏହି ଯାଚିକାରେ ସୁପ୍ରିମକୋର୍ଟ ନୋଟିସ ଜାରି କରି କେନ୍ଦ୍ରକୁ ଜବାବ ମାଗିଥିଲେ। ଏହା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଟିକାର ପ୍ରତିକୂଳ ପ୍ରଭାବ କାରଣରୁ ହୋଇଥିବା ମୃତ୍ୟୁ ଓ କ୍ଷତିପୂରଣ ପାଇଁ କେନ୍ଦ୍ରକୁ ଦାୟୀ କରିବା ଆଇନ ଅନୁଯାୟୀ ଉଚିତ ନୁହେଁ। କୋର୍ଟ ଉଭୟ ଯୁବତୀଙ୍କ ମୃତ୍ୟୁରେ ସମ୍ବେଦନା ଓ ସାନ୍ତ୍ୱନା ଦେଇ କହିଛନ୍ତି, କେବଳ ଗୋଟିଏ ମାମଲାରେ ଏଇଏଫଆଇ କମିଟି ଟିକାକରଣର ପାର୍ଶ୍ୱପ୍ରତିକ୍ରିୟା ଦ୍ୱାରା ମୃତ୍ୟୁ ହୋଇଥିବା ପୃଷ୍ଟି କରିଛି।

କେନ୍ଦ୍ର ସତ୍ୟପାଠ ଆଧାରରେ ଦାଖଲ ଜବାବରେ କହିଛନ୍ତି ଯେ, ଯେଉଁ ମାମଲାରେ ଟିକା ଦ୍ୱାରା ମୃତ୍ୟୁ ହୋଇଛି, ସେହି ମାମଲାରେ ସିଭିଲ କୋର୍ଟରେ ମକଦ୍ଦମା ଦାଖଲ କରି କ୍ଷତିପୂରଣ ମଗାଯାଇପାରିବ । କେନ୍ଦ୍ରର ଏହି ସତ୍ୟପାଠ ପରେ କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ପ୍ରଶ୍ନ ଉଠିଛି। ମହାମାରୀ କରୋନା ଦାଉରୁ ରକ୍ଷା କରିବା ପାଇଁ ଲୋକମାନେ ଟିକା ନେଉଛନ୍ତି, ହେଲେ ସେହି ଟିକା ଦ୍ୱାରା ହେଉଥିବା ପାର୍ଶ ପ୍ରତିକ୍ରିୟା ପାଇଁ ସରକାର କୌଣସି ଦାୟିତ୍ୱ ନେବା ପାଇଁ ମନା କରି ଦେଇଛନ୍ତି। ଏପରି ସ୍ଥିତିରେ ଲୋକମାନେ କରୋନା ଟିକାକୁ କିଭଳି ଭରସା କରିବେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Tags: #SupremeCourt #CentralGovt #Covid19 #CovidVaccine #Death #Petition #India

Comment