ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ରିଟେଲ ଇ-ରୁପି ସେବା। ପ୍ରଥମେ ଏହି ଇ-ରୁପିର ରିଟେଲ ଟ୍ରାଞ୍ଜାକ୍ସନର ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆସିଆସିଆଇ ବ୍ୟାଙ୍କ ସମେତ ଆଉ ୮ଟି ବ୍ୟାଙ୍କରେ ଏହି ସୁବିଧା ଉପଲବ୍ଧ ହେବ। ଏଥିନେଇ ଭାରତୀୟ ରିର୍ଜଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନଭେମ୍ବର ୧ ତାରିଖରେ ସ୍ଵତନ୍ତ୍ର ବ୍ୟବହାର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଇ-ରୁପି ହୋଲସେଲ ଟ୍ରାଞ୍ଜାକ୍ସନର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଏହି ପରୀକ୍ଷା ସଫଳ ରହିଥିବାରୁ ରିର୍ଜଭ ବ୍ୟାଙ୍କ ଏବେ ରିଟେଲ ଇ-ରୁପି ସେବା ଆରମ୍ଭ କରିବାକୁ ଯାଉଛି।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ତିଆରି କରିଥିବା ଏହି ଇ-ରୁପି ସମ୍ପୂର୍ଣ୍ଣ କ୍ୟାସ୍ଲେସ ଓ କଣ୍ଟାକ୍ଟଲେସ୍‌ ବ୍ୟବସ୍ଥା। ଏହାକୁ ବ୍ୟବହାର କରିବା ପାଇଁ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ କିମ୍ବା ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗର ଆବଶ୍ୟକ ପଡ଼ିନଥାଏ। ଏହା ଏମିତି ଏକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା, ଯାହାକୁ ବ୍ୟବହାର କରିବା ପାଇଁ ଇଣ୍ଟରନେଟର କୌଣସି ଆବଶ୍ୟକତା ନାହିଁ।

ବ୍ଲକଚେନ ଟେକ୍ନୋଲୋଜି ଆଧାରିତ ଇ-ରୁପି ଡିଜିଟାଲ ପେମେଣ୍ଟର ବ୍ୟବହାର ଅନ୍ୟ ଆପ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସ୍ମାର୍ଟ ଫୋନ ଏବଂ ଫିଚର ଫୋନରେ ଇ-ରୁପିକୁ ବ୍ୟବହାର କରିହେବ। ଯେଉଁ ହିତାଧିକାରୀମାନେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ପାଖକୁ କ୍ୟୁଆର କୋର୍ଡ ଭାବେ ଇ-ରୁପି ଭାଉଚର ପଠାଯିବ ଏବଂ ଯେଉଁମାନେ ଫିଚର ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ନିକଟକୁ ଏସଏମଏସ୍ ଜରିଆରେ ଏହି ଭାଉଚର ପଠାଯିବ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ସାଧାରଣ ବଜେଟରେ ବ୍ଲକଚେନ ଆଧାରିତ ଡିଜିଟାଲ ମୁଦ୍ରା ଲଞ୍ଚ କରିବା ନିମନ୍ତେ ଘୋଷଣା କରିଥିଲେ।

Tags: #DigitalRupee #ERupee #December1 #RBI #RetailTransaction

Comment