ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ୨୦୨୨ ଦ୍ଵିତୀୟ ଦିନରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଥମେ ଆରମ୍ଭ ହୋଇଥିଲା ପ୍ଲିନାରି ସେସନ୍। ଏହି ପ୍ଲିନାରି ସେସନ୍‌ରେ ମୁଖ୍ୟମନ୍ତ୍ରୀ ଅଲଟ୍ରାଟେକ୍ ସିମେଣ୍ଟର କଟକ ପ୍ଲାଣ୍ଟର ଉଦଘାଟନ କରିଥିଲେ। ଏହାସହ ବେଦାନ୍ତ ଗ୍ରୁପର ଝାରସୁଗୁଡାରେ ଅଲୁମିନିୟମ ପାର୍କ ଓ କଳିଙ୍ଗନଗରରେ ଜେଏସପିଏଲର ଏକ ଷ୍ଟେନଲେସ୍ ଷ୍ଟିଲ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଠାରେ ଓଡ଼ିଶା ସରକାରଙ୍କ ସହ ଅନେକ ଶିଳ୍ପ ପ୍ରତିଷ୍ଠାନ ଏମଓୟୁ ସ୍ୱାକ୍ଷର କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ବକ୍ତବ୍ୟ ଦେଇ ଉପସ୍ଥିତ ନିବେଶକ ଓ ଶିଳ୍ପପତି ମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, “ରାଜ୍ୟ ସରକାର ଶିଳ୍ପର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ। ଆମ ରାଜ୍ୟ ଶିକ୍ଷା,ସ୍ୱାସ୍ଥ୍ୟ, ମହିଳାସଶକ୍ତିକରଣ ଆଦି କ୍ଷେତ୍ରରେ ଆଗକୁ ବଢୁଛି। ମିଶନ ଶକ୍ତି,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ଲୋକମାନଙ୍କୁ ବହୁଳ ଭାବେ ସହାୟ ହେଉଛି। ଆଗକୁ ଓଡିଶାର ଅର୍ଥନୀତି ୧ ଟ୍ରିଲିୟନ ଡଲାରର ହେବାକୁ ଯାଉଛି।” ଏହି ବିକାଶ ଯାତ୍ରାରେ ଓଡ଼ିଶା ସହ ଯୋଡି ହେବାକୁ ନିବେଶକମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଥିଲେ।

ସେସନ୍ ଆରମ୍ଭରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ଵାଗତ ଭାଷଣ ଦେଇଥିଲେ। ନିଜ ବକ୍ତବ୍ୟରେ ସେ ସମସ୍ତ ଅତିଥିଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭକୁ ସ୍ଵାଗତ କରିଥିଲେ। ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ଲିନାରି ସେସନ୍‌ରେ  ବକ୍ତବ୍ୟ ଦେଇ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅବଦାନ ବିଷୟରେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, “ଓଡ଼ିଶା ବିଗତ ୨୦ ବର୍ଷରେ ଶିଳ୍ପ କ୍ଷେତ୍ରରେ ଅନେକ ପ୍ରଗତି କରିଛି। ଓଡ଼ିଶା ଶିଳ୍ପର ବିଭିନ୍ନ ବିଭାଗରେ ଅନେକ ଭଲ ପଦକ୍ଷେପ ନେଇଛି ଯାହା ଆଜି ଆମ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାରେ ସହାୟ ହେଉଛି। ଓଡ଼ିଶାରେ ଆସି ଶିଳ୍ପ ପ୍ରତିଷ୍ଠା ପାଇଁ ସେ ଉପସ୍ଥିତ ଶିଳ୍ପପତିଙ୍କୁ କହିଥିଲେ।”

ଶିଳ୍ପ ସଚିବଙ୍କ ପରେ ଶିଳ୍ପପତି ତଥା ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ନିଜ ଭାଷଣରେ ବିଜୁ ପଟ୍ଟନାୟକଙ୍କ ସମୟରୁ ଓଡ଼ିଶାର ଶିଳ୍ପ ଅଗ୍ରଗତି ସମ୍ପର୍କରେ କହିଥିଲେ। ସେ ଆଉ ମଧ୍ୟ କହିଥିଲେ,”ଏବେ ଓଡ଼ିଶାରେ ସରକାରଙ୍କ ସହଯୋଗରେ ଆଗକୁ  କେନ୍ଦ୍ରାପଡାରେ ଏକ ଷ୍ଟିଲ ପ୍ଳାଣ୍ଟ ଲଗାଇବା ସହ ଅନ୍ୟାନ୍ୟ ନିବେଶ କରିବୁ। ଓଡିଶାରୁ ଷ୍ଟିଲ ଉତ୍ପାଦନ କରି ବିଦେଶକୁ ରପ୍ତାନି ହେବ।”

“୨୨ ବର୍ଷ ଧରି ଆମେ ଓଡ଼ିଶାରେ କାର୍ଯ୍ୟ କରିଆସୁଛୁ। ଇତି ମଧ୍ୟରେ ଓଡ଼ିଶାର ପ୍ରଗତି ଅବିଶ୍ୱସନୀୟ ଭାବେ ହୋଇଛି। ଓଡ଼ିଶା ଭାରତର ପ୍ରଗତିରେ ଏକ ଅଗ୍ରଣୀ ଭୂମିକା ବହନ କରିଛି ଓଡ଼ିଶାରେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ର ସହ ସେମିକଣ୍ଡକ୍ଟର ଭଳି ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରୁଛୁ। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶାରେ ଏକ ଅନନ୍ୟ ଉତ୍ସାହ ରହିଛି।”, କହିଛନ୍ତି ବେଦାନ୍ତ ରିସୋର୍ସ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ।

ଜେଏସଡବ୍ଲୁ ଗ୍ରୁପର ଅଧ୍ୟକ୍ଷ ସଜନ ଜିନ୍ଦଲ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଶିଳ୍ପ କ୍ଷେତ୍ର ଅଧିକ ଉନ୍ନତ ହେବା କଥା କହିଥିଲେ। ଓଡ଼ିଶା ଟେକ୍ନୋଲୋଜି, ଖଣି, ପର୍ଯ୍ୟଟନ ଓ ଖେଳ ଆଦି କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି  ଓଡ଼ିଶାରେ ଜେଏସଡବ୍ଲୁ ଗ୍ରୁପ ପାରାଦୀପଠାରେ ଷ୍ଟିଲ ପ୍ଳାଣ୍ଟ ସହିତ ଅନ୍ୟ ୧ ଲକ୍ଷ କୋଟିର ନିବେଶ କରିବ ବୋଲି ସେ କହିଥିଲେ।

ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏହି ସେସନରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଆୟୋଜନ କରିଥିବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶା ତାଙ୍କ ଦ୍ଵିତୀୟ ଘର ଓ ପ୍ରଥମ କର୍ମଭୂମି ପାଲଟିଛି ବୋଲି କହିଛନ୍ତି ନବୀନ ଜିନ୍ଦଲ।

ଏହି ପ୍ଲିନାରି ସେସନରେ ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ ଉପସ୍ଥିତ ରହି ଓଡ଼ିଶାରେ ଟାଟା ଗ୍ରୁପ୍ କରିଥିବା ବିଭିନ୍ନ ଉନ୍ନତି ମୂଳକ କାମ ଓ ନିବେଶ ସମ୍ପର୍କରେ କହିଥିଲେ। “ଟାଟା ଗ୍ରୁପ୍ ଓଡ଼ିଶାରେ ଗତ ୫ବର୍ଷରେ ୭୫୦୦୦ କୋଟି ଟଙ୍କା ନିବେଶ କରିଛି ଏବଂ ଆଗକୁ ଆହୁରି ଅଧିକ ନିବେଶ କରିବ।” କହିଛନ୍ତି ଟି ଭି ନରେନ୍ଦ୍ରନ।

ଆଦାନୀ ପୋର୍ଟ୍ସ ଆଣ୍ଡ ଏସଇଜେଡ୍ ସିଇଓ କରନ ଆଦାନୀ ଓଡ଼ିଶାର ଧମରାରେ ଏକ ଉନ୍ନତ ବନ୍ଦର ସହିତ ଆଗକୁ ଆହୁରି ୬୦ ହଜାର କୋଟି ଟଙ୍କା ନିବେଶ କରିବା କଥା କହିଥିଲେ। ଫିକକି ଇଣ୍ଡିଆର ଅଧ୍ୟକ୍ଷ ଶୁଭ୍ରକନ୍ତ ପଣ୍ଡା ଓଡ଼ିଶାରେ ଶିଳ୍ପ କ୍ଷେତରେ ଥିବା ଅମାପ ସମ୍ଭାବନା ସମ୍ପର୍କରେ କହି ଓଡ଼ିଶା ସରକାରଙ୍କ ଶିଳ୍ପ ନୀତିକୁ ପ୍ରଶଂସା କରିଥିଲେ। ଫିକକି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ପାର୍ଟନର ହୋଇଥିବାରୁ ସେ ଗର୍ବ ଅନୁଭବ କରୁଥିବା କହିଥିଲେ।

ଏହି ଦ୍ଵିବାର୍ଷିକ ଶିଳ୍ପ ମହାକୁମ୍ଭର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସେସନରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ସହ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ ଏନ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ରିସୋର୍ସ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପର ଅଧ୍ୟକ୍ଷ ସଜନ ଜିନ୍ଦଲ, ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ ଓ ଅନ୍ୟ ଶିଳ୍ପ ଲିଡରଙ୍କ ସମେତ ଜାପାନ, ନରୱେ ଏବଂ ଜର୍ମାନୀର ପ୍ରତିନିଧିମାନେ ଯୋଗ ଦେଇଥିଲେ।

 

 

Startup Story Ep-4 Nusrat

Tags: #MakeInOdishaConclave2022 #PlenarySession #BusinessLeaders #Odisha #CMO #NaveenPatnaik

Comment