ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ୨୦୨୨ ପ୍ଲିନରି ସେସନ୍ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ସେସନ୍‌ର ଶୁଭାରମ୍ଭ ହୋଇଛି। ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା  ପ୍ରମୁଖ ଉପସ୍ଥିତ ରହିଛନ୍ତି।

ଏହି ଦ୍ଵିବାର୍ଷିକ ଶିଳ୍ପ ମହାକୁମ୍ଭର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସେସନରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ ଏନ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ରିସୋର୍ସ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପର ଅଧ୍ୟକ୍ଷ ସଜନ ଜିନ୍ଦଲ, ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ ଓ ଅନ୍ୟ ଶିଳ୍ପ ଲିଡରଙ୍କ ସମେତ ଜାପାନ, ନରୱେ ଏବଂ ଜର୍ମାନୀର ପ୍ରତିନିଧିମାନେ ଯୋଗ ଦେଇଛନ୍ତି।

ସେସନ୍ ଆରମ୍ଭରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ଵାଗତ ଭାଷଣ ଦେଇଛନ୍ତି। ନିଜ ବକ୍ତବ୍ୟରେ ସେ ସମସ୍ତ ଅତିଥିଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭକୁ ସ୍ଵାଗତ କରିଥିଲେ।

ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ଲିନରି ସେସନ୍‌ରେ ପ୍ରଥମ ବକ୍ତବ୍ୟ ଦେଇ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅବଦାନ ବିଷୟରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶା ବିଗତ ୨୦ ବର୍ଷରେ ଶିଳ୍ପ କ୍ଷେତ୍ରରେ ଅନେକ ପ୍ରଗତି କରିଛି। ଓଡ଼ିଶା ଶିଳ୍ପର ବିଭିନ୍ନ ବିଭାଗରେ ଅନେକ ଭଲ ପଦକ୍ଷେପ ନେଇଛି ଯାହା ଆଜି ଆମ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାରେ ସହାୟ ହେଉଛି।”

ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପ୍ରଦାନ କରୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ଉପସ୍ଥିତ ଶିଳ୍ପପତିମାନଙ୍କ ଆଗରେ କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା। ଏହାସହ ସେ ଓଡ଼ିଶାରେ ପୁଞ୍ଜି ନିବେଶ କରି ଶିଳ୍ପ ପ୍ରତିଷ୍ଠା କରିବାକୁ ପୁଞ୍ଜିପତିମାନଙ୍କୁ ଆହ୍ଵାନ ଦେଇଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଥିମ ‘କମ୍ ଜଏନ ଦି ଜଗରନଟ୍’ ଉକ୍ତିକୁ ସଫଳ କରିବା ପାଇଁ ସେ କହିଛନ୍ତି।

ଓଡ଼ିଶାରେ ଶିଳ୍ପ ପାଇଁ ଭୂମି, ବିଜୁଳି, ପରିବହନ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଉଭୟ ରାଜ୍ୟ ଓ ଶିଳ୍ପପତିମାନଙ୍କୁ ଲାଭପ୍ରଦ ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି।

Tags: #MakeInOdishaConclave2022 #PlenarySession #BusinessLeaders #Odisha #CMO #NaveenPatnaik

Comment