ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବର୍ଷିଆନ ଅଭିନେତ୍ରୀ ଝରଣା ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ ଝରଣା ଦାସଙ୍କର ୮୨ ବର୍ଷ ବୟସରରେ ଦେହାନ୍ତ ହୋଇଛି। ପିଲାଟି ବେଳରୁ ସେ ଅଭିନୟ ନିଶାରେ ପଡ଼ିଥିଲେ। ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ  ବିପୁଳ ଲୋକପ୍ରିୟତା ଦେଇଥିଲା। ଝରଣା ଦାସଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ  ଅଜସ୍ର ସୁନାମ ଦେଇଛି।

ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତ୍ତାରେ ସ୍ଵର୍ଗତ ଝରଣା ଦାସଙ୍କୁ  ଜଣେ ଯଶସ୍ଵୀ କଳାକାର ଭାବେ ବର୍ଣ୍ଣନା କରିଛନ୍ତି। ଝରଣା ଦାସଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ ଜଗତ ପାଇଁ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

Tags: #OdiaCinemaActress #CMOdisha #NaveenPatnaik #JharnaDas

Comment