ଓଡ଼ିଶାଲାଇଭ୍ ବ୍ୟୁରୋ

ସାତ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଚ୍ଚନାଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ ୭ ଦିନ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡରେ ନେଇ ଅର୍ଚ୍ଚନା ନାଗ କାହାକୁ ବ୍ଲାକମେଲ କରୁଥିଲେ ଏବଂ କାହାଠାରୁ କେତେ ଟଙ୍କା ନେଇଛନ୍ତି ସେସବୁର ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବେ ଇଡି ଅଧିକାରୀ।

ସୋମବାର ଦିନ ଝାରପଡ଼ା ଜେଲରୁ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ଲାଗି ଇଡି ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟ ଆଜି ଏହି ଆବେଦନ ଉପରେ ଶୁଣାଣି କରି ୭ ଦିନ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ଇଡିକୁ ଅନୁମତି ପ୍ରଦାନ କରିଛନ୍ତି।

ବ୍ଲାକ ମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ସେ ଏବେ ଝାରପଡ଼ା ଜେଲରେ ରହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅର୍ଚ୍ଚନା ନାଗଙ୍କ ସମ୍ପତ୍ତିର ଖୋଳତାଡ଼ କରୁଥିବାବେଳେ ଏହି ଘଟଣାରେ ଜେରା କରିବା ପାଇଁ ମୋଟ ୧୫ ଜଣଙ୍କୁ ନୋଟିସ ଜାରି କରାଯାଇଛି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଜେରା କରାଯାଇଛି।

Tags: #ArchanaNaag #BlackmailingCase #BhubaneswarCourt #ED #Remand

Comment