ଓଡ଼ିଶାଲାଇଭ୍ ବ୍ୟୁରୋ

ସାତ ଦିନିଆ ରିମାଣ୍ଡରେ ଗଲେ ଅର୍ଚ୍ଚନା ନାଗ। ଏହି ୭ ଦିନ ମଧ୍ୟରେ ଅର୍ଚ୍ଚନାଙ୍କ ଆର୍ଥିକ ସାମ୍ରାଜ୍ୟର ରହସ୍ୟ ଉନ୍ମୋଚନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ବ୍ଲାକମେଲ କରି ଟଙ୍କା ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ରହିଛନ୍ତି ଅର୍ଚ୍ଚନା ନାଗ। ଆର୍ଥିକ ସାମ୍ରାଜ୍ୟ ସମ୍ପର୍କରେ ଖୋଳତାଡ଼ କରିବାକୁ ମଙ୍ଗଳବାର ଦିନ ୭ ଦିନ ପାଇଁ ଅର୍ଚ୍ଚନା ନାଗଙ୍କୁ ନେଇଛି ଇଡି। ଭୁବନେଶ୍ଵର ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏକ ସ୍ଵତନ୍ତ୍ର ଗାଡ଼ି ଯୋଗେ ଅର୍ଚ୍ଚନାଙ୍କୁ ଇଡି କାର୍ଯ୍ୟାଳୟକୁ ଅଣାଯାଇଛି। ସେଠାରେ ଡାକ୍ତରୀ ପରୀକ୍ଷା କରାଯିବା ପରେ ତାଙ୍କୁ ରିମାଣ୍ଡରେ ନିଆଯିବ।

ମାତ୍ର ୩/୪ ବର୍ଷ ମଧ୍ୟରେ ଅର୍ଚ୍ଚନା ନାଗ କୋଟି କୋଟି ଟଙ୍କାର ମାକିଲାଣି ହୋଇଥିଲେ। ତାଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା ତାହାର ଖୋଳତାଡ଼ କରିବାକୁ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।

ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିବା ପରେ ଅକ୍ଷୟ ପରିଜା ମଧ୍ୟ ପାଲଟା ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ନାଗଙ୍କ ବିରୋଧରେ। ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ କରି ୪ କୋଟି ଟଙ୍କା ମାଗିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ ସିନେ ପ୍ରଯୋଜକ। ଏହି ଘଟଣା ପରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଟଙ୍କା ମାଗିବା ଘଟଣା ସାମ୍ନାକୁ ଆସିଥିଲା।

ଅନେକ ମନ୍ତ୍ରୀ, ବିଧାୟକ, ବ୍ୟବସାୟୀ ଏବଂ ସିନେ ପ୍ରଯୋଜକ ଓ ନିର୍ଦ୍ଦେଶକ ଏହି ବ୍ଲାକମେଲର ଶିକାର ହୋଇଥିବା ଜଣାପଡ଼ିଥିଲା। ଏହି ମାମଲାରେ ଇଡି ଅର୍ଚ୍ଚନା ନାଗଙ୍କୁ ଗିରଫ କରି ଖୋଳତାଡ଼ କରିବା ସମୟରେ ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ସମ୍ପର୍କ ଜଣାପଡ଼ିଥିଲା।

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଅର୍ଥ କାରବାର ନେଇ ଇଡ ପକ୍ଷରୁ ୧୫ ଜଣଙ୍କୁ ସମନ ଜାରି କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ଇଡି କାର୍ଯ୍ୟାଳୟରେ ହାଜର ହୋଇସାରିଛନ୍ତି। ଆଜିଠାରୁ ରିମାଣ୍ଡରେ ଯାଇଥିବା ଅର୍ଚ୍ଚନା ଅନେକ ରହସ୍ୟ ଉପରୁ ପରଦା ହଟାଇବାର ସମ୍ଭାନା ରହିଛି।

ସୋମବାର ଦିନ ଝାରପଡ଼ା ଜେଲରୁ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଥିଲା।

Tags: #ArchanaNaag #BlackmailCase #Remand #ED

Comment