ଓଡ଼ିଶାଲାଇଭ୍ ବ୍ୟୁରୋ

“ଅଧଘଣ୍ଟା ସମୟ ଦିଅ, ସବୁ ପ୍ରମାଣ ଦେବି। ମୁଁ ଯେତେବେଳେ ମୁହଁ ଖୋଲିବି ସାରା ରାଜ୍ୟ ଓଲଟପାଲଟ ହେଇଯିବ। ସମସ୍ତେ ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି। ମୁଁ କାହାରିକୁ ଛାଡ଼ିବିନି”, ସାତ ଦିନିଆ ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ଆଗରେ ଏହିଭଳି କହିଛନ୍ତି ଅର୍ଚ୍ଚନା ନାଗ।

ସୋମବାର ଦିନ ୭ ଦିନ ପାଇଁ ରିମାଣ୍ଡରେ ଯାଇଥିବା ଅର୍ଚ୍ଚନା ନାଗଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା କ୍ୟାପିଟାଲ ହସ୍ପିଟାଲ। ସେଠାରେ ଅନେକ ବିସ୍ଫୋରକ ବୟାନ ଦେଇଛନ୍ତି ଅର୍ଚ୍ଚନା। ସେ କହିଛନ୍ତି, ତାଙ୍କୁ ଷଡ଼ଯନ୍ତ୍ର କରି କିଏ ଫଶାଇଛି ସେ ଜାଣିପାରୁ ନାହାନ୍ତି। ସେ ମୁହଁ ଖୋଲିଲେ ଅନେକ ବଡ଼ ବଡ଼ିଆଙ୍କ ଅସଲ ମୁଖା ଖୋଲିଯିବ ବୋଲି ରାଗ ତମତମ ହୋଇଛନ୍ତି କହିଛନ୍ତି ଅର୍ଚ୍ଚନା।

ଅର୍ଚ୍ଚନା ନାଗ କହିଛନ୍ତି ଶ୍ରଦ୍ଧାଞ୍ଜଳି ବେହେରାଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଉ ସବୁ ସତ ଜଣାପଡ଼ିବ। ଏହି ବ୍ଲାକବେଲିଂ ମାମଲାରେ ସେ ଗୋଟି ଗୋଟି କରି ସମସ୍ତଙ୍କ ସମ୍ପୃକ୍ତି ସମ୍ପର୍କରେ କହିବେ ବୋଲି କହିଛନ୍ତି।

ଆର୍ଥିକ ସାମ୍ରାଜ୍ୟ ସମ୍ପର୍କରେ ଖୋଳତାଡ଼ କରିବାକୁ ମଙ୍ଗଳବାର ଦିନ ୭ ଦିନ ପାଇଁ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେଇଛି ଇଡି। ଭୁବନେଶ୍ଵର ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏକ ସ୍ଵତନ୍ତ୍ର ଗାଡ଼ି ଯୋଗେ ଅର୍ଚ୍ଚନାଙ୍କୁ ଡାକ୍ତରୀ ପରୀକ୍ଷା କରାଯିବା ପରେ ତାଙ୍କୁ ରିମାଣ୍ଡରେ ନିଆଯିବ।

ମାତ୍ର ୩/୪ ବର୍ଷ ମଧ୍ୟରେ ଅର୍ଚ୍ଚନା ନାଗ କୋଟି କୋଟି ଟଙ୍କାର ମାକିଲାଣି ହୋଇଥିଲେ। ତାଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା ତାହାର ଖୋଳତାଡ଼ କରିବାକୁ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।

ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିବା ପରେ ଅକ୍ଷୟ ପରିଜା ମଧ୍ୟ ପାଲଟା ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ନାଗଙ୍କ ବିରୋଧରେ। ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ କରି ୪ କୋଟି ଟଙ୍କା ମାଗିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ ସିନେ ପ୍ରଯୋଜକ। ଏହି ଘଟଣା ପରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଟଙ୍କା ମାଗିବା ଘଟଣା ସାମ୍ନାକୁ ଆସିଥିଲା।

ଅନେକ ମନ୍ତ୍ରୀ, ବିଧାୟକ, ବ୍ୟବସାୟୀ ଏବଂ ସିନେ ପ୍ରଯୋଜକ ଓ ନିର୍ଦ୍ଦେଶକ ଏହି ବ୍ଲାକମେଲର ଶିକାର ହୋଇଥିବା ଜଣାପଡ଼ିଥିଲା। ଏହି ମାମଲାରେ ଇଡି ଅର୍ଚ୍ଚନା ନାଗଙ୍କୁ ଗିରଫ କରି ଖୋଳତାଡ଼ କରିବା ସମୟରେ ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ସମ୍ପର୍କ ଜଣାପଡ଼ିଥିଲା।

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଅର୍ଥ କାରବାର ନେଇ ଇଡ ପକ୍ଷରୁ ୧୫ ଜଣଙ୍କୁ ସମନ ଜାରି କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ଇଡି କାର୍ଯ୍ୟାଳୟରେ ହାଜର ହୋଇସାରିଛନ୍ତି। ଆଜିଠାରୁ ରିମାଣ୍ଡରେ ଯାଇଥିବା ଅର୍ଚ୍ଚନା ଅନେକ ରହସ୍ୟ ଉପରୁ ପରଦା ହଟାଇବାର ସମ୍ଭାନା ରହିଛି।

Tags: #ArchanaNaag #BlackmailCase #Remand #ED

Comment