ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ। ବିପୁଳ ଭୋଟରେ ପଦ୍ମପୁରରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା।

ସବୁ ଆଶାଆଶଙ୍କା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ପଦ୍ମପୁରରେ ବାଜି ମାରିଲେ ବିଜେପି ପ୍ରାର୍ଥୀ ବର୍ଷା ସିଂ ବରିହା। ମୋଟ ୪୨,୦୬୫ ଖଣ୍ଡ ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି ବର୍ଷା। ମୋଟ ୧୪ଟି ଟେବୁଲରେ ସାରିଥିଲା ୨୩ ରାଉଣ୍ଡ ଭୋଟ ଗଣତି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧୧୯,୫୧୨ ଭୋଟ ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ମାତ୍ର ୩,୫୪୮ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

କାମ ଦେଲା ସୁପ୍ରିମୋଙ୍କ ମ୍ୟାଜିକ

ପଦ୍ମପୁରରେ ବିଜେଡିର ବିଜୟ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଇଦାନ ପ୍ରଚାରର ମୁଖ୍ୟ ଭୂମିକା ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେଡି ସୁପ୍ରିମୋ ଅଧିକାଂଶ ନିର୍ବାଚନ ଲାଗି ଭର୍ଚୁଆଲ ମୋଡରେ ପ୍ରଚାର କରୁଥିବାବେଳେ ପଦ୍ମପୁର ଉପନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇ ଥିଲେ। ଆଜି ପଦ୍ମପୁରରେ ବିଜେଡି ବାଜି ମାରିବା ପରେ ସୁପ୍ରିମୋଙ୍କ ମ୍ୟାଜିକ କାମ ଦେଲା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭେଚ୍ଛା

ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କ ସଫଳତା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ଆମେ ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ଵୀକାର କରୁଛୁ। ଆମ ଦଳକୁ ଭୋଟ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ।”

ବାପାଙ୍କ ଲୋକପ୍ରିୟତାର ପ୍ରତିଫଳନ: ବର୍ଷା ସିଂ ବରିହା

ପଦ୍ମପୁର ବାଜି ଜିତିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ସେ କହିଛନ୍ତି ଏହା ହେଉଛି ତାଙ୍କ ବାପା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଲୋକପ୍ରିୟତାର ପ୍ରତିଫଳନ। ବାପାଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବେ ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ରହିଥିବା ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ବର୍ଷା କହିଛନ୍ତି।

ବିଜେପିକୁ ମହଙ୍ଗା ପଡ଼ିଲା ବ୍ୟକ୍ତିଗତ ଆକ୍ଷେପ

ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିବା ପରେ ପଦ୍ମପୁରରେ ମଧ୍ୟ ବାଜି ମାରିବାକୁ ଆଶା ବାନ୍ଧିଥିଲା ବିଜେପି। ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିଥିଲେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଜିତାଇବା ଲାଗି। ଏହି ପ୍ରଚାର ସମୟରେ ବିଜେପିର ଅନେକ ବରିଷ୍ଠ ନେତା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ନେଇ ବ୍ୟକ୍ତିଗତ ଆକ୍ଷେପ କରିଥିଲେ। ଯାହା ପଦ୍ମପୁରରେ ବିଜେପିକୁ ମହଙ୍ଗା ପଡ଼ିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବାଜି ମାରିବା ପରେ ଶଙ୍ଖ ଶିବିରରେ ସେଲିବ୍ରେସନ ଆରମ୍ଭ ହୋଇଛି। ବାଜା ବଜାଇ ବାଣ ଫୁଟାଇ ବିଜେଡି ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ନେତା ଏବଂ କର୍ମୀ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।

Tags: #Politics #OdishaPolitics #PadampurPolitics #PadampurByElection #BJP #BJD #Congress #Result #VoteCounting #Celebration

Comment