ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ୧୪୭ ଆସନରୁ ୧୨୫ରୁ ଅଧିକ ଆସନରେ ବିଜେଡି ବିଜୟ ହାସଲ କରିବ ବୋଲି ଶନିବାର ଦିନ କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ। ସେ କହିଛନ୍ତି ୨୦୧୯ ନିର୍ବାଚନରେ ବିଜେଡି ଯେତିକି ଆସନରେ ବିଜୟ ହାସଲ କରିଥିଲା ଆଗାମୀ ନିର୍ବାଚନରେ ତା’ଠାରୁ ଅଧିକ ଆସନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି।

୨୦୨୪ ନିର୍ବାଚନରେ ବିଜେଡି ପଶ୍ଚିମ ଓଡ଼ିଶାରେ ୩୦ଟି ଆସନରେ ବିଜୟୀ ହେବ। ଏଥର ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ପଦ୍ମପୁର ବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଆସନ୍ତା ଜାନୁଆରି ମାସରେ ପୁଣି ଥରେ ପଦ୍ମପୁର ଯିବେ ବୋଲି ସୁଶାନ୍ତ ସିଂ ସୂଚନା ଦେଇଛନ୍ତି।

ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଏହିଭଳି କହିଛନ୍ତି ବିଧାୟକ ସୁଶାନ୍ତ ସିଂ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନରେ ଯେଉଁଭଳି ଭାବେ ବିଜେଡିକୁ ସମର୍ଥନ ମିଳିଛି ତାକୁ ଦେଖିଲେ ବିଜେଡି ଉପରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକଙ୍କର ଭରସା ଅତୁଟ ଥିବା ଅନୁମାନ କରାଯାଉଛି।

ଧାମନଗର ଉପନିର୍ବାଚନରେ ବିଜେଡିର ପରାଜୟ ସମ୍ପର୍କରେ ବିଧାୟକ କହିଛନ୍ତି ଯେ, ରାଜନୀତିରେ ହାରଜିତ ଲାଗି ରୁହେ। ଧାମନଗରରେ ପରାଜୟର ସମୀକ୍ଷା ଚାଲିଛି। ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ଗ୍ରାଉଣ୍ଡରୁ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ଗତ ଥରର ଭୁଲଗୁଡ଼ିକର ପୁନରାବୃତ୍ତି କରାଯିବ ନାହିଁ। ଖାସ କରି ପ୍ରାର୍ଥୀ ଚୟନ ଉପରେ ବିଶେଷ ଗୁରୁତ୍ଵ ଦିଆଯିବ। ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଲୋକପ୍ରିୟତା ଦେଖି ଏଥର ଟିକେଟ ଦିଆଯିବ ବୋଲି ସେ କହିଛନ୍ତି।

Tags: #Politics #OdishaPolitics #Election #ByElection #BJD #CMOdisha #NaveenPatnaik #SushantSingh

Comment