ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଉପରେ ସବୁ ଦଳଙ୍କ ନଜର। ଓଡ଼ିଶାର ଶାସନ ଭାର ହାତେଇବାକୁ ଏବେଠୁ ଆରମ୍ଭ ହେଲାଣି ରାଜନୈତିକ ସମୀକ୍ଷା।

୨୦୨୪ ସାଧାରଣ ନିର୍ବାଚନରେ କିଏ ମାରିବ ବାଜି। କାହା ହାତକୁ ଯିବ ଓଡ଼ିଶାର ଶାସନ ଦାୟିତ୍ଵ। ତାକୁ ନେଇ ଚାଲିଛି ରାଜନୈତିକ ଅଙ୍କକଷା। ଗତ ୨୦୧୯ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ହୋଇଥିଲା। ଏଥର କିନ୍ତୁ ସରକାର ଗଡ଼ିବାକୁ ଆଶା ବାନ୍ଧିଛି ଦଳ। ଏପଟେ ବିଜେଡି ମଧ୍ୟ ନିଜର ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି। ରାଜ୍ୟରୁ ଧୀରେ ଧୀରେ ନିଜର ସ୍ଥିତି ହରାଇବାକୁ ବସିଥିବା କଂଗ୍ରେସ ମଧ୍ୟ ୨୦୨୪ ନିର୍ବାଚନକୁ ନେଇ ବେଶ ଆଶାବାଦୀ।

୨୦୨୪ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ପଦ୍ମପୁର ଉପନିର୍ବାଚନରେ ବାଜି ମାରିବାକୁ ଆଶା ରଖିଥିଲା ଦଳ। କିନ୍ତୁ ଜିତିବାର ଆଶା ମଉଳି ଗଲା। ପଦ୍ମପୁରରେ ବିଜେଡିର ବିଜୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଜନାଦେଶକୁ ଆମେ ସମର୍ଥନ କରୁଛୁ। ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏହି ସଂଖ୍ୟା କିଛି କମ୍ ନୁହେଁ।

“ପଦ୍ମପୁରରେ ପରାଜିତ ହୋଇଛୁ ସତ, କିନ୍ତୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଓଡ଼ିଶାରେ ୨୦୧୯ ନିର୍ବାଚନରେ ଆମେ ଯେମିତି ମୁଖ୍ୟ ବିରୋଧୀ ଦଳ ହୋଇପାରିଲୁ, ଆଗାମୀ ନିର୍ବାଚନରେ ସରକାରକୁ ଆସିବା କିଛି ଅସମ୍ଭବ ନୁହେଁ। ଓଡ଼ିଶାବାସୀ ମଧ୍ୟ ଚାହିଁଲେଣି ରାଜ୍ୟରେ ସରକାର ବଦଳନ୍ତୁ ବୋଲି।”

୨୦୨୪ ପୂର୍ବରୁ ସାଧାରଣ ନିର୍ବାଚନ ହୋଇପାରେ ବୋଲି ଇଙ୍ଗିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି “ମୁଁ ତ ଶୁଣୁଛି ଏଠି ଟିକେ ଆଗରୁ ନିର୍ବାଚନ ହୋଇଯିବ। ଏଇ ୮/୯ ମାସ ମଧ୍ୟରେ ବହୁତ କିଛି ଘଟିଯିବ। ମହାନଦୀ, ବ୍ରାହ୍ମଣୀ, ବୈତରଣୀରେ କେତେ ପାଣି ବହିଯିବ। ଖାଲି ସମୟକୁ ଅପେକ୍ଷା କରିବା ଦରକାର।”

୨୦୨୪ ନିର୍ବାଚନରେ ୧୨୫ରୁ ଅଧିକ ଆସନ ଜିତିବ ବିଜେଡି – ବିଧାୟକ ସୁଶାନ୍ତ ସିଂ

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ମୋଟ ୧୪୭ଟି ମଧ୍ୟରୁ ୧୨୫ରୁ ଅଧିକ ଆସନରେ ବିଜୟ ହାସଲ କରିବ। ପଶ୍ଚିମ ଓଡ଼ିଶାରେ ୩୦ଟି ଆସନରେ ବିଜେଡି ଜିତିବ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୯ ନିର୍ବାଚନ ତୁଳନାରେ ଆଗାମୀ ସାଧାରଣ ନିର୍ବାଚନରେ ବହୁ ଅଧିକ ଆସନରେ ବିଜୟୀ ହେବ ଦଳ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁଭଳି ଭାବେ ଲୋକପ୍ରିୟତା ରହିଛି, ତାହାର ପ୍ରତିଫଳନ ଆଗାମୀ ୨୦୨୪ ନିର୍ବାଚନରେ ନିଶ୍ଚିତ ଦେଖିବାକୁ ମିଳିବ।

୧୨୫ କେତେରେ କେତେ? ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ୧୨୫ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ବିଧାୟକ ସୁଶାନ୍ତ ସିଂ ମନ୍ତବ୍ୟ ଦେବା ପରେ ଏହାକୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ ସିଧାସଳଖ ପ୍ରଶ୍ନ କରିଛନ୍ତି “୧୨୫ କେତେରେ କେତେ ସୁଶାନ୍ତ ବାବୁ ଜାଣନ୍ତି ତ? ପଦ୍ମପୁର ଉପନିର୍ବାଚନରେ ୪୦ କୋଟି ଖର୍ଚ୍ଚ କରି ଝାଳନାଳ ହେଇଯାଇଛନ୍ତି। ଆଉ କେତେ କୋଟି ଦେଇ ଭୋଟ କିଣିବେ?”

କଂଗ୍ରେସ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ବିଜେଡିକୁ ମାତ୍ର ୩୦ରୁ ୩୫ଟି ଆସନ ମିଳିବ। କଂଗ୍ରେସ ଭଲ ପ୍ରଦର୍ଶନ କରିବ। କଂଗ୍ରେସ ୬୦ରୁ ୬୫ ଆସନ ଜିତିବ।

ଆମର ଫୋକସ ୧୪୭ ଆସନ – ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର

ଧାମନଗର ଉପନିର୍ବାଚନ ବିଜୟ ପରେ ବିଜେପି ଆଶା ବାନ୍ଧିଥିଲା ପଦ୍ମପୁର ଉପନିର୍ବାଚନରେ ମଧ୍ୟ ସଫଳ ହେବ। କିନ୍ତୁ ବିଜେପିର ସବୁ ଆକଳନ ଭୁଲ ହୋଇଗଲା। ଅର୍ଥବଳ, ବାହୁ ବଳ ଏବଂ ଶାସନ କଳ ଯୋଗୁଁ ପଦ୍ମପୁରରେ ବିଜେଡି ଜିତିଲା, କିନ୍ତୁ ଆମ ପ୍ରଦର୍ଶନ ମଧ୍ୟ ଖରାପ ନଥିଲା ବୋଲି କହିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର।

ସେ କହିଛନ୍ତି ଯେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ରାଜ୍ୟର ସମସ୍ତ ୧୪୭ ଆସନ ଉପରେ ଆମର ଫୋକସ ରହିଛି। ଓଡ଼ିଶାର ଲୋକ ୨୨ ବର୍ଷର ଶାସନ ଉପରୁ ଭରସା ହରେଇ ସାରିଲେଣି। ଏଣିକି ସରକାର ପରିର୍ତ୍ତନ ହେବାର ଆବଶ୍ୟକତା ରହିଥିବା ଲୋକେ ଅନୁଭବ କଲେଣି ବୋଲି ସେ କହିଛନ୍ତି।

ନିକଟରେ ହୋଇଥିବା ଦୁଇଟି ବିଧାନସଭା ଉପନିର୍ବାଚନ ମଧ୍ୟରୁ ଗୋଟିଏରେ ବିଜେପି ଏବଂ ଅନ୍ୟଟିରେ ବିଜେଡି ବିଜୟୀ ହୋଇଛି। ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦିବଙ୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ବିଜୟ ହାସଲ କରିବା ପରେ ଦଳକୁ ଏକ ପ୍ରକାର ବଳ ମିଳିଥିଲା ପଦ୍ମପୁର ଉପନିର୍ବାଚନ ଲଢ଼ିବା ପାଇଁ। ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିଥିଲେ ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ। ପ୍ରଚାରର ମଙ୍ଗ ଧରିଥିଲେ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧାମନଗର ଭଳି ଏଠାରେ ମଧ୍ୟ ବିଜୟ ଲକ୍ଷ୍ୟ ରଖିଥିବା ବିଜେପିକୁ ନିରାଶ ହେବାକୁ ପଡ଼ିଲା। କିନ୍ତୁ ୨୦୨୪ ନିର୍ବାଚନ ଜିତିବାକୁ ଆଶା ବାନ୍ଧିଛି ଦଳ। ଏଥର ନିର୍ବାଚନ ପ୍ରସଙ୍ଗ ଭିତ୍ତିକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କ କଷିବା ଆରମ୍ଭ କରିଛନ୍ତି। ଏଥର ବିଜେଡି ଏବଂ ବିଜେପି ମଧ୍ୟରେ ମୁଖ୍ୟ ରାଜନୈତିକ ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

Tags: #Politics #OdishaPolitics #Election #2024Election #BJD #BJP #Congress

Comment