ଓଡ଼ିଶାଲାଇଭ୍ ବ୍ୟୁରୋ

supremecourt

ଓକିଲ ଆନ୍ଦୋଳନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୋମବାର ସୁପ୍ରିମକୋର୍ଟ ଏନେଇ ଓଡ଼ିଶା ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ଯଦି ଓଡ଼ିଶା ପୋଲିସ ବିଫଳ, ତେବେ କେନ୍ଦ୍ରୀୟ ଫୋର୍ସର ବ୍ୟବସ୍ଥା କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାଛଡ଼ା ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ବୁଧବାର ଭିଡିଓ କନଫରେନସିଂରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଆନ୍ଦୋଳନ ରୋକିବାରେ କାହିଁକି ବିଫଳ ହେଲା ସେହି ବିଷୟରେ ସବିଶେଷ ତଥ୍ୟ ରଖିବାକୁ କହିପାରନ୍ତି ସୁପ୍ରିମକୋର୍ଟ।

ନଭେମ୍ବର ୨୮ ତାରିଖରେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରୁଥିବା ଓକିଲମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ। ସେମାନଙ୍କ ଲାଇସେନ୍ସ ସସପେଣ୍ଡ୍ କରିବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ କହିଛନ୍ତି ସୁପ୍ରିମକୋର୍ଟ। ଆନ୍ଦୋଳନରତ ଓକିଲଙ୍କୁ ଆବଶ୍ୟକ ହେଲେ ଗିରଫ କରିବାକୁ ମଧ୍ୟ କହିଥିଲେ। କେବଳ ଏତିକି ନୁହେଁ, ନ୍ୟାୟିକ ଅଧିକାରୀ ଓ ମହକିଲମାନଙ୍କୁ ବି ସୁରକ୍ଷା ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ତଥାପି ଆନ୍ଦୋଳନ ଜାରି ରହିଥିଲା।

ପୂର୍ବରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା, ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରିଆସୁଛନ୍ତି ସ୍ଥାନୀୟ ଓକିଲ ସଂଘ। ମୁଖ୍ୟତଃ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ହୋଇଆସୁଛି। ଏଭଳି ଆନ୍ଦୋଳନ ଭିତରେ କିଛି ଓକିଲ ସଂଘ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ ବି ସମ୍ବଲପୁର ଓକିଲ ସଂଘ ଆନ୍ଦୋଳନ ଜିଦ୍‌ରେ ଅଟଳ ଥିଲା।

ଏହାରି ଭିତରେ ସମ୍ବଲପୁର କଚେରୀ ଛକରେ ଓକିଲ–ପୋଲିସ ମୁହାଁମୁହିଁ ହୋଇଛନ୍ତି। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ କରୁଛି ସମ୍ବଲପୁର ଓକିଲ ସଙ୍ଘ। ଛକରେ ଜୋରଦାର ଠେଲାପେଲା ସହ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ହୋଇଛି ଧସ୍ତା ଧସ୍ତି।

ଆନ୍ଦୋଳନରେ ଓକିଲମାନଙ୍କ ସମର୍ଥନରେ ସାମିଲ ହୋଇଛନ୍ତି ବିଭିନ୍ନ ସଙ୍ଗଠନ। ଏହା ସହିତ ସମର୍ଥନ ଜଣାଇ ଆନ୍ଦୋଳନ କରିଛନ୍ତି କିନ୍ନର ସଂଘ। ଯେପର୍ଯ୍ୟନ୍ତ ଓକିଲମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି।

Tags: #SupremeCourt #Odisha #LawyersProtest #OdishaDG #SambalpurIG #OdishaHighCourt #India

Comment