ଓଡ଼ିଶାଲାଇଭ୍ ବ୍ୟୁରୋ
(ମାନାମା/ ବାହାରିନ): ବାହାରିନ-ଭାରତ କଳା ସଂସ୍କୃତି କେନ୍ଦ୍ର ‘ବିକାଶ’ ଆନୁକୂଲ୍ୟରେ ତଥା ବାହାରିନ ଓଡ଼ିଆ ସମାଜ ସହଯୋଗରେ ୫୧ତମ ବହାରିନ ଜାତୀୟ ଦିବସ ପାଳିତ ହୋଇଯାଇଛି। ଇଣ୍ଡିଆନ ସ୍କୁଲ ରିଫାର ଅଡିଟୋରିୟମଠାରେ ଏହା ଅନୁଷ୍ଠିତ ହୋଇଥିଲା।
ବହାରିନ ଏବଂ ଭାରତ ମଧ୍ୟରେ ରହିଥିବା କୂଟନୈତିକ ସମ୍ପର୍କର ୫୦ ବର୍ଷକୁ ସ୍ମରଣ କରିବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଛି। ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ବାହାରିନ ଇଣ୍ଡିଆ ସାଂସ୍କୃତିକ ଓ କଳା ସୋସାଇଟି ‘ବିକାଶ’ର ଉପସାପତି ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ୱରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାହାରିନ ଓଡ଼ିଆ ସମାଜର ସଦସ୍ୟମାନେ ରଙ୍ଗବତୀ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ରଙ୍ଗବତୀ ଗୀତର ତାଳେ ତାଳେ ଝୁମିଥିଲେ ଉପସ୍ଥିତ ଦର୍ଶକ।
ଭାରତୀୟ ଦୂତାବାସର ଦ୍ୱିତୀୟ ସଚିବ ରବି ଶଙ୍କର ଶୁକ୍ଲା ଏବଂ ବିଶିଷ୍ଟ ବ୍ୟକ୍ତି ବେଶଷ ତଥା ଭାରତୀୟ ଅତିଥିମାନେ ରଙ୍ଗବତୀ ଗୀତରେ ପରିବେଷଣ କରାଯାଇଥିବା ନୃତ୍ୟକୁ ଖୁବ ପ୍ରଶଂସା କରିଥିଲେ। ଏହି ଅବସରରେ ଏକ କିଲୋମିଟର ପର୍ଯ୍ୟନ୍ତ ବାହାରିନ ଜାତୀୟ ପତାକା ପ୍ରଦର୍ଶନ କରାଯାଇଥିଲା।
ବିଦେଶରେ ବସବାସ କରୁଥିବା ଓଡ଼ିଆ ପରିବାର ଓ ନୂତନପିଢ଼ି ମଧ୍ୟରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଏବଂ ହସ୍ତଶିଳ୍ପକୁ ପରିଚିତ କରିବା ସହ ଏହାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହିଭଳି କାର୍ଯ୍ୟକ୍ରମ କରାଯାଉଥିବା କହିଛନ୍ତି ଡକ୍ଟର ଅରୁଣ କୁମାର ପ୍ରହରାଜ।
ରଙ୍ଗବତୀ ଗୀତରେ ନୃତ୍ୟ ପରିଷଣ କରିଥିବା କଳକାରମାନେ ହେଲେ ଅରୁଣୀତା ପ୍ରହରାଜ, ଅର୍ପିତା ମହାନ୍ତି, ସୁନିତା ପଣ୍ଡା, ଅଳକା ପ୍ରିୟଦର୍ଶିନୀ, ଶ୍ରଦ୍ଧାଞ୍ଜଳି ମିଶ୍ର, ଅର୍ପିତା ସାମଲ, ସୋନାଲି ବିଶ୍ୱାଳ, ଶ୍ରେୟା ଦାସ, ଅଙ୍କୋଲିକା ରାଉତ, ଦେବାଶିଷ ମିଶ୍ର ଏବଂ ଅନିରୁଧ ବିଶ୍ୱାଳ ପ୍ରମୁଖ।
Tags: #BahrainNationalDay #Celebration #BahrainOdiaSamaj #RangabatiDance