ଓଡ଼ିଶାଲାଇଭ୍ ବ୍ୟୁରୋ

 

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବେଳେ ଅଘଟଣ। ଜାଭେଲିନ ଥ୍ରୋ ପ୍ରତିଯୋଗିତା ସମୟରେ ଜଣେ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ। ଆଗଲପୁର ବାଳକ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି। ଏହି ଅଘଟଣାର ଶିକାର ହୋଇଛନ୍ତି ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ମେହେର।

ଶନିବାର ଦିନ ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିବା ସମୟରେ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଚାଲିଥିଲା। ଏହି ସମୟରେ ପ୍ରତିଯୋଗିତା ଦେଖିବାକୁ ଛିଡ଼ା ହୋଇଥିବା ସଦାନନ୍ଦଙ୍କ ବେକରେ ଜାଭେଲିନର ଅଗ୍ରଭାଗ ଗଳି ଯାଇଥିଲା। ସଦାନନ୍ଦଙ୍କ ବେକ ଭିତରକୁ ଜାଭେଲିନର ଅଗ୍ରଭାଗଟି ସମ୍ପୂର୍ଣ୍ଣ ଭାବେ ପଶିଯାଇଛି। ତାଙ୍କୁ ବର୍ତ୍ତମାନ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାକୁ ନେବା ସମୟରେ ସଦାନନ୍ଦ ଧୈର୍ଯ୍ୟର ସହ ନିଜ ବେକରେ ଗଳିଥିବା ଜାଭେଲିନଟିକୁ ଧରି ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚିଛନ୍ତି।

ବର୍ତ୍ତମାନ ତାଙ୍କର ସିଟି ସ୍କାନ କରାଯାଇଛି। ସିଟି ସ୍କାନ ରିପୋର୍ଟ ଆଧାରରେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Tags: #Balangir #AgalpurHighSchool #AnnualSportsCompetiton #JavelinThrow

Comment