ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିଥିବାବେଳେ ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶିଯାଇଥିଲା ଜାଭେଲିନ। ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇ ସଦାନନ୍ଦଙ୍କ ବେକରୁ ଜାଭେଲିନଟିକୁ ବାହାର କରାଯାଇଛି। ସଦାନନ୍ଦଙ୍କ ସହ ହୋଇଥିବା ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିବା ସହ ସହାୟତା ଘୋଷଣା କରିଛନ୍ତି। ସଦାନନ୍ଦଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହତ ହୋଇଥିବା ଛାତ୍ର ସଦାନନ୍ଦଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିବାବେଳେ ୫-ଟି ସଚିବ ଭି କେ ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସଦାନନ୍ଦ ମେହେରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ଘଣ୍ଟାର ଅପରେସନ ପରେ ସଦାନନ୍ଦଙ୍କ ବେକରୁ ଜାଭେଲିନଟିକୁ ବାହାର କରାଯାଇଛି। ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ଶନିବାର ଦିନ ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିବା ସମୟରେ ଜାଭେଲିନ ଥ୍ରୋ ପ୍ରତିଯୋଗିତା ହୋଇଥିଲା। ଏହି ସମୟରେ ପ୍ରତିଯୋଗିତା ଦେଖିବାକୁ ଛିଡ଼ା ହୋଇଥିବା ସଦାନନ୍ଦଙ୍କ ବେକରେ ଜାଭେଲିନର ଅଗ୍ରଭାଗ ଗଳି ଯାଇଥିଲା। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସିଟି ସ୍କାନ କରାଯିବା ପରେ ସ୍କାନ ରିପୋର୍ଟ ଆଧାରରେ ଅସ୍ତ୍ରୋପଚାର କରାଯାଇ ଜାଭେଲିନଟିକୁ କଢ଼ାଯାଇଥିଲା। ବର୍ତ୍ତମାନ ଛାତ୍ରଙ୍କ ଅବସ୍ଥା ବିପଦମୁକ୍ତ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି।

Tags: #Balangir #AgalpurHighSchool #AnnualSportsCompetiton #JavelinThrow #CMOdisha #NaveenPatnaik

LEAVE A REPLY

Please enter your comment!
Please enter your name here