ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶୀତ। ଆସନ୍ତା ୨ ଦିନରେ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ଖସିବା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ଫଳରେ ଦକ୍ଷିଣ ଓଡ଼ିଶାରେ ଶୀତ ବଢ଼ିବ।

ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ। ପ୍ରଥମ ଥର ଚଳିତ ଋତୁରେ ୫ ଡିଗ୍ରୀ ଛୁଇଁଲା ରାତ୍ରି ତାପମାତ୍ରା। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସେମିଳିଗୁଡ଼ାରେ ୭ ଡିଗ୍ରୀ, ଫୁଲବାଣୀରେ ୮ ଡିଗ୍ରୀ, ସୁନ୍ଦରଗଡ଼ରେ ୮.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ଶୀତ ରେକର୍ଡ କରାଯାଇଛି।

ରାଜ୍ୟରେ ସକାଳୁ ସକାଳୁ କୁହୁଡ଼ିଆ ପାଗ ଦେଖିବାକୁ ମିଳିବ। ରବିବାର କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି।

ସ୍ଥାନେ ସ୍ଥାନେ ଲୋକେ ନିଆଁର ସାହାରା ନେବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ରାଇକିଆ, ଦାରିଙ୍ଗବାଡ଼ି, ଜି. ଉଦୟଗିରିରେ ଅଧିକ ଶୀତ ଅନୁଭୂତ ହେଉଛି। ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହେଲାଣି।

Tags: #WinterUpdate #Odisha #Kandhamal #GUdayagiri #Winter #Temperature #Fog

Comment