ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ। ମନି ଲଣ୍ଡରିଂ ମାମଲାରେ ଶୁକ୍ରବାର ଦିନ ଜଗବନ୍ଧୁଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଡିସେମ୍ବର ୧୪ ତାରିଖରେ ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡରେ ନେଇଥିଲା ଇଡି। ତାଙ୍କ ରିମାଣ୍ଡ ଅବଧି ସରିଥିବାବେଳେ ଇଡି ଆଜି ତାଙ୍କୁ କୋର୍ଟରେ ହାଜର କରିବା ପରେ ଗିରଫ କରିଛି। ପୁନର୍ବାର ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଛି।

ପୂର୍ବରୁ ଡିସେମ୍ବର ୧୩ ତାରିଖରେ ଇଡି ମନି ଲଣ୍ଡରିଂ ଅଭିଯୋଗରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିବା ସହ ୬ ଦିନିଆ ରିମାଣ୍ଡରେ ନେଇଥିଲା। ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ୧୯ ତାରିଖଠାରୁ ଝାରପଡ଼ା ଜେଲରେ ଅଛନ୍ତି ଅର୍ଚ୍ଚନା। ବ୍ଲାକମେଲିଂ ଏବଂ ଅର୍ଥ ହେରଫେର ମାମଲାରେ ପୂର୍ବରୁ ଜଗବନ୍ଧୁଙ୍କ ବ୍ୟବସାୟିକ ସହଯୋଗୀ ଖଗେଶ୍ଵର ପାତ୍ରଙ୍କୁ ଗିରଫ କରାଯାଇଥିଲା।

ଅର୍ଚ୍ଚନା ନାଗଙ୍କ ଅନ୍ୟତମ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ବେହେରା ଓଡ଼ିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଆପତ୍ତିଜନକ ଅଭିଯୋଗ ଆଣିଥିଲେ। ପରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ ପରିଜା। ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋଳନ କରି ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ୩ କୋଟି ଟଙ୍କା ମାଗିବା ସହ ହତ୍ୟା ଧମକ ଦେବା ନେଇ ଏତଲାରେ ଉଲ୍ଲେଖ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା।

ଅକ୍ଷୟ ପରିଜାଙ୍କ ଏହି ଅଭିଯୋଗ ପରେ ଅର୍ଚ୍ଚନା ନାଗଙ୍କ କଳା କାରବାର ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ଅର୍ଚ୍ଚନା ବ୍ଲକମେଲିଂ କରି ଅନେକ ବଡ଼ ବଡ଼ିଆଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୋଗ ହେବା ପରେ ଅର୍ଚ୍ଚନାଙ୍କ ସମ୍ପତ୍ତି ମାପିବା ଆରମ୍ଭ କରିଥିଲା ଇଡି। ଏହି ମାମଲାରେ ଜଣକ ପରେ ଜଣକୁ ଇଡି କାର୍ଯ୍ୟାଳାୟକୁ ଡକା ଯାଇଥିଲା।

ଅର୍ଚ୍ଚନାଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିବାବେଳେ ଆଜି ତାଙ୍କ ସ୍ଵାମୀଙ୍କୁ ଗିରଫ କରାଯାଇଛି। ଅର୍ଚ୍ଚନା ଏବଂ ଜଗବନ୍ଧୁ ରିମାଣ୍ଡରେ ଯାଇଥିବାବେଳେ ଉଭୟ ଅର୍ଚ୍ଚନା ଏବଂ ଗଜବନ୍ଧୁଙ୍କୁ ମୁହାଁମୁହିଁ ଜେରା କରିଥିଲା ଇଡି।

Tags: #ED #EnforcementDirectorate #ArchanaNaagCase #JagabandhuChand #Arrest #MoneyLaundering

LEAVE A REPLY

Please enter your comment!
Please enter your name here