ଓଡ଼ିଶାଲାଇଭ୍ ବ୍ୟୁରୋ

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ହାଜତ ମୃତ୍ୟୁ ମାମଲାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ମଧ୍ୟ ଉଠିଛି। ପରିବାର ଲୋକେ ଏବଂ ବିରୋଧୀ ଏହାକୁ ହତ୍ୟା ବୋଲି ଅଭିଯୋଗ କରୁଥିବାବେଳେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ।

ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ। ସାଇଣ୍ଟିଫିକ୍ ଟିମ୍ ସହ କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜି ଜେଲରେ ପହଞ୍ଚି ଗୋବିନ୍ଦ ସାହୁ ହାଜତ ମୃତ୍ୟୁ ଘଟଣାର ତଦନ୍ତ କରୁଛି। ପ୍ରଥମ ଦିନ ଗୋବିନ୍ଦ ସାହୁ ରହୁଥିବା ଜେଲର ୧ ନମ୍ବର ଓ୍ଵାର୍ଡରୁ କ୍ରାଇମବ୍ରାଞ୍ଚକୁ ମିଳିଛି ଗୋବିନ୍ଦ ସାହୁଙ୍କର ଅନେକ ହାତଲେଖା କାଗଜ। ସେସବୁ ଗୋବିନ୍ଦଙ୍କର ହାତଲେଖା କି ନୁହେଁ ତା’ର ଯାଞ୍ଚ ପାଇଁ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି। ଏହା ସହିତ ଜେଲ ପରିସରରେ ଲାଗିଥିବା ୧୬ଟି ସିସିଟିଭି ଫୁଟେଜ ଜବତ କରାଯାଇଥିବା ବେଳେ ତା’ର ଯାଞ୍ଚ କରାଯାଉଛି।

ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ କରାଯିବ ଦିନ ତାଙ୍କ ପକେଟରୁ ଗୋଟିଏ ଚିଠି ମିଳିଥିବା କୁହାଯାଉଥିଲେ ମଧ୍ୟ ତାହାର ସତ୍ୟାସତ୍ୟ ଜଣାପଡ଼ି ନାହିଁ।

ଶନିବାର ଦିନ  କ୍ରାଇମବ୍ରାଞ୍ଚର ଦୁଇଟି ଟିମ ମଧ୍ୟରୁ ଗୋଟିଏ କଣ୍ଟାବାଞ୍ଜି ଜେଲରେ ଏବଂ ଅନ୍ୟ ଟିମ ମହାଲିଙ୍ଗା ଯାଇ ଆଜି ତଦନ୍ତ କରିବ ବୋଲି ସୂଚନା ରହିଛି।

ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ ପରେ ପ୍ରଥମେ ମୃତଦେହକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ ମୃତ ଗୋବିନ୍ଦ ସାହୁଙ୍କ ସମ୍ପର୍କୀୟ। ସେ କହିଥିଲେ ଆମେ ମେଡିକାଲରୁ ଶବ ନେବୁ ନାହିଁ, ପୋଲିସ ମହାଲିଙ୍ଗା ଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରୁ। ଏହାକୁ ନେଇ ଦ୍ଵନ୍ଦ୍ଵରେ ପଡ଼ିଯାଇଥିଲା ପୋଲିସ୍। ଶେଷରେ ଗୋବିନ୍ଦ ସାହୁଙ୍କ ଝିଅଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।

ମଙ୍ଗଳବାର ଦିନ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଉପକାରାଗାରରେ ରହିଥିବାର ଗୋବିନ୍ଦ ସାହୁଙ୍କର ହାଜତରେ ମୃତ୍ୟୁ ହୋଇଥିଲା।ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ବିରୋଧୀ ଅଭିଯୋଗ କରିବା ସହ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି।

Tags: #GobindaSahoo #UnnaturalDeath #Balangir #KanjabanjhiSubJail #Postmortem #DeadBody #CrimeBranchInvestigation

LEAVE A REPLY

Please enter your comment!
Please enter your name here