ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ କରାଯାଉଛି। ଉଦଘାଟନୀ ସମାରୋହରେ ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ।

ମହାରାଜା ଉଗ୍ରସେନଙ୍କ ସିଂହାସନ ଆରୋହଣ ଦୃଶ୍ୟରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା ମଞ୍ଚ। ପ୍ରଥମ ଦିନରେ ଦେବକୀ-ବସୁଦେବଙ୍କ ବିବାହ ଏବଂ କାରଗାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଦ୍ଵିତୀୟ ଦିନରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ। ଏହା ପୂର୍ବରୁ ଦେବକୀଙ୍କ ଗର୍ଭରୁ ଜାତ ହୋଇଥିବା ସନ୍ତାନଙ୍କୁ ଶିଳାରେ କଚାଡ଼ି ହତ୍ୟା କରିଥିଲେ କଂସ। ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ଅତ୍ୟାଚାରରେ ମଥୁରାବାସୀ ଥରହର ହୋଇପଡ଼ିଥିବାବେଳେ କାରାଗାରରେ ଭଗବାନ ଶ୍ରୀକୃ‌ଷ୍ଣ ଜନ୍ମ ନେଇଥିଲେ। ଶ୍ରୀକୃଷ୍ଣଙ୍କ ପ୍ରାଣ ରକ୍ଷା କରିବା ଲାଗି କରାଗାରରୁ ଲୁଚାଇ ଧନୁଯାତ୍ରାର ଗୋପପୁର ସାଜିଥିବା ଅମ୍ବାପଲ୍ଲିଠାରେ ନନ୍ଦ ରାଜାଙ୍କ ଘରେ ଶ୍ରୀକୃଷ୍ଣଙ୍କୁ ରଖି ତାଙ୍କ କନ୍ୟାକୁ କାରାଗାରକୁ ନେଇ ଆସିଥିଲେ ବସୁଦେବ।

ଗୁରୁବାର ହେଉଛି ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ। ତୃତୀୟ ଦିନରେ ଗୋପପୁରରେ ନନ୍ଦୋତ୍ସବ ଆରମ୍ଭ ହୋଇଛି। ଧୁମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରିବାକୁ ଲାଗିପଡ଼ିଛନ୍ତି ଗୋପପୁରବାସୀ। ଗୋପପୁର ଉତ୍ସବ ମୁଖର ହୋଇଉଠିଛି। ନାଚ ଗୀତର ଆସର ଜମିଛି। ଆଠ ଦିନ ଧରି ଗୋପପୁରରେ ଚାଲିବ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା।

ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜା କଂସ ପାତ୍ରମନ୍ତ୍ରୀଙ୍କ ସହିତ ନଗର ଭ୍ରମଣରେ ବାହାରି ପ୍ରଜାମାନଙ୍କ ଦୁଃଖସୁଖ ବୁଝିଥିଲେ। ଧୀରେ ଧୀରେ ମହାରାଜା କଂସର ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଏପରି ସ୍ଥିତରେ ମହାରାଜା କଂସଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡ଼ିଆରେ ଉଦଘାଟିତ ହୋଇଯାଇଛି ରଙ୍ଗମହଲ। ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରଙ୍ଗମହଲ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ସଂଯୋଜନା କରିଥିବାବେଳେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ନଗରପାଲ କଳ୍ପନା ମାଝି, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ କୃତିବାସ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ରଙ୍ଗମହଳ କମିଟିର ଆବାହକ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରଙ୍ଗମହଲରେ ମହାରାଜା କଂସ ନୃତ୍ୟ ଗୀତରେ ମଜ୍ଜି ଯାଇଥିବା ସହ ଏହାର ଦାୟିତ୍ୱ ସେନାପତି ସାତ୍ୟକି ହାତରେ ଅର୍ପଣ କରିଥିଲେ। ନିଜ ପିତା ଉଗ୍ରସେନଙ୍କୁ ରାଜସିଂହାସନରୁ ବେଦଖଲ କରି ଯୁବରାଜ କଂସ ମଥୁରା ସିଂହାସନ ଆରୋହଣ କରି ଆରମ୍ଭ କରି ଦେଇଛନ୍ତି ତାଙ୍କର ଅନ୍ୟାୟ, ଅତ୍ୟାଚାର।

ସେଥିରୁ ମୁକୁଳି ପାରିନାହାନ୍ତି କଂସଙ୍କ ପରିବାର ବର୍ଗ ତଥା ସମଗ୍ର ମଥୁରାପୁରବାସୀ। ରାଜ୍ୟାଭିଷେକ ପରେ ଦେବକୀଙ୍କ  ଅଷ୍ଟମ ଗର୍ଭ ଦ୍ୱାରା ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ଭୟରେ ମହାରାଜ କଂସ ମଥୁରା ନଗରୀର ପ୍ରଜା ତଥା କାରାଗାରରେ ଥିବା ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ। ଦ୍ୱାରପାଳଙ୍କଠାରୁ ଖବର ପାଇ ଦେବକୀର ଗୋଟିଏ ପରେ ଗୋଟିଏ ୬ଟି ସନ୍ତାନକୁ ନିର୍ମମ ଭାବେ ଶିଳାରେ ପ୍ରହାର କରି ହତ୍ୟାକରି ମହାରାଜା କଂସ ନିଜର ଅସୁରତ୍ୱକୁ ପ୍ରମାଣ କରିଛନ୍ତି।

ଜଗତପାଳ ବିଷ୍ଣୁ ଯୋଗବଳରେ ଦେବକୀଙ୍କର ସପ୍ତମ ଗର୍ଭକୁ ହରଣ କରି ରୋହୀଣୀଙ୍କ ଗର୍ଭରେ ସ୍ଥାପନ କରିଥିବାବେଳେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରବଳ ବର୍ଷା ମଧ୍ୟରେ ନିଷିଦ୍ଧ ରାତ୍ରୀର ଦ୍ୱିତୀୟ ପ୍ରହରରେ ମଥୁରା କାରାଗାର ମଧ୍ୟରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଲାଭ ନେଇଛନ୍ତି ସୃଷ୍ଟିର ସର୍ତ୍ତା, ନ୍ୟାୟର ରକ୍ଷାକର୍ତ୍ତା ତଥା ସୃଷ୍ଟିର ସଂହାରକର୍ତ୍ତା ଶ୍ରୀକୃଷ୍ଣ। କଂସ ଦ୍ୱାରା ଶିଶୁ ହତ୍ୟା ଆଶଙ୍କାର ଚିନ୍ତାଶୀଳ ଦେବକୀ ବସୁଦେବ ନାରାୟଣଙ୍କୁ ସ୍ମରଣ କଲାପରେ ଜଗତକର୍ତ୍ତାଙ୍କ ମାୟାବଳରେ କାରାଗାରର ଦ୍ୱାର ଖୋଲିଯାଇଛି ଓ ଶ୍ରୀକୃଷ୍ଣକୁ ନେଇ ବସୁଦେବ ଗୋପପୁର ଯାତ୍ରା କରିବା ସମୟରେ ନଗର ସୀମାନ୍ତରେ ସୀମାନ୍ତରକ୍ଷୀ ଉଗ୍ରସେନଙ୍କ ସହିତ ସାକ୍ଷାତ କରି ଉଛୁଳା ଯମୁନା ନଦୀ ପାର ହୋଇ ଗୋପପୁରରେ ପହଞ୍ଚି ନିଦ୍ରିତ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ବିଜୁଳିକନ୍ୟାକୁ ନେଇ ମଥୁରା କାରାଗାରକୁ ଫେରିଥିଲେ ବସୁଦେବ।

ଆଜି ଗୋପପୁରରେ ନନ୍ଦ ରାଜାଙ୍କ ଘରେ ଆରମ୍ଭ ହୋଇଛି ଉତ୍ସବ। ନନ୍ଦ ବଂଶରେ ପୁତ୍ର ସନ୍ତାନ ଜନ୍ମ ହେବା ଖୁସୀରେ ଆନ୍ଦରେ ନାଚୁଛନ୍ତି ସାରା ଗୋପପୁରବାସୀ।

Tags: #DhanuJatra #BargarhDhanuJatra #ShreeKrishna #KansaMaharaj #Gopapur

LEAVE A REPLY

Please enter your comment!
Please enter your name here