ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଦେଶ ପାଇଁ ଜୀବନ ଦେଇଥିବା ମୟୂରଭଞ୍ଜ ଜିଲ୍ଲାର ୩ ଜଣ ସହିଦଙ୍କ ପରିବାରକୁ ଜମି ପଟ୍ଟା ପ୍ରଦାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ଵାଜ। ସହିଦଙ୍କ ପରିବାର ବର୍ଗଙ୍କୁ ବାରିପଦା ପୌରାଞ୍ଚଳ ଅଧୀନରେ ୪ ଡେସିମଲ ଲେଖାଏଁ ଜମିର ପଟ୍ଟା ପ୍ରଦାନ କରାଯାଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ପଟ୍ଟା ପ୍ରଦାନ କରାଯାଇଛି। ଶୁଳିଆପଦାର ସହିଦ ହିକିମ ହେମ୍ବ୍ରମଙ୍କ ମା’ ବୁଧୁ ହେମ୍ବ୍ରମ, ରାସଗୋବିନ୍ଦପୁରର ସହିଦ ସୁରେଶ ଚନ୍ଦ୍ର ହେମ୍ବ୍ରମଙ୍କ ପତ୍ନୀ ପୁଷ୍ପମଞ୍ଜରୀ ସୋରେନ ଏବଂ ଶୁଳିଆପଦାର ସହିଦ ସୁଧୀର କୁମାର ଟୁଡୁଙ୍କ ମା’ ଜାଉନା ଟୁଡୁଙ୍କୁ ଜିଲ୍ଲାପାଳ ଏହି ଜମି ପଟ୍ଟା ହସ୍ତାନ୍ତର କରିଛନ୍ତି। 

ହିକିମ ହେମ୍ବ୍ରମ ସିଆରପିଏଫରେ କାର୍ଯ୍ୟରତ ଥିଲାବେଳେ ସହିଦ ହୋଇଥିଲେ। ସୁରେଶ ଚନ୍ଦ୍ର ହେମ୍ବ୍ରମ ଏବଂ ସୁଧୀର କୁମାର ଟୁଡୁ ଓଡ଼ିଶା ପୋଲିସର ସଶସ୍ତ୍ର ବାହିନୀରେ କାର୍ଯ୍ୟରତ ଥିଲାବେଳେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିଲେ। ସହିଦ ସୁଧୀର କୁମାର ଟୁଡୁଙ୍କୁ ସାହସିକତା ପାଇଁ ନିକଟରେ ମରଣୋତ୍ତର ଭାବେ ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଏସପି ଋଷିକେଶ ଦ୍ୟାନ ଦେଓ ଖିଲାରୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ବାରିପଦା ତହସିଲଦାର ବିକ୍ରମ କେଶରୀ ପରିଡ଼ା ଉପସ୍ଥିତ ଥିଲେ। ଜମି ପଟ୍ଟା ସହିତ ସହିଦଙ୍କ ପରିବାରକୁ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Tags: #Mayurbhanj #MayurbhanjCollector #LandPatta #MartyrsFamily

Comment