ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାଠାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଆରମ୍ଭ ହୋଇଛି ତଦନ୍ତ। ଋଷ ସାଂସଦ ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଦମିର ବିଦାନୋଭଙ୍କର ମୃତ୍ୟୁ ପରେ ସେମାନଙ୍କ ଶବକୁ ପରିବାର ଲୋକଙ୍କ ଅନୁପସ୍ଥିତିରେ ପୋଡ଼ି ଦିଆଯାଇଥିବାରୁ ଏହାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିଛି। ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା ଉପରୁ ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ ରାୟଗଡ଼ାରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।

କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ଵରେ କ୍ରାଇମବ୍ରାଞ୍ଚ ଟିମ ଶୁକ୍ରବାର ଦିନ ରାୟଗଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶନିବାର ଦିନ ମଧ୍ୟ ତଦନ୍ତ ଜାରି ରହିଛି। ଆଜି କ୍ରାଇମବ୍ରାଞ୍ଚ ଟିମ ଦୁଇ ପର୍ଯ୍ୟଟକଙ୍କ ଦାହ ସଂସ୍କାର କରାଯାଇଥିବା ଶ୍ମଶାନକୁ ଯାଇ ତଦନ୍ତ କରିଛି। ମୃତ ପର୍ଯ୍ୟଟକମାନେ କେଉଁ ସ୍ଥାନକୁ ଯାଇଥିଲେ ଏବଂ କେଉଁଠାରେ ଅଟକି ଥିଲେ, ସେ ସବୁ ସ୍ଥାନକୁ ଯାଇ ଏହି ଟିମ ତଦନ୍ତ କରିବ।

କ୍ରାଇମବ୍ରାଞ୍ଚ ଟିମ ଶୁକ୍ରବାର ଦିନ ରାୟଗଡ଼ାରେ ପହଞ୍ଚି ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ମଧ୍ୟାହ୍ନରେ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ପହଞ୍ଚି ତଦନ୍ତ କରିଥିଲେ। ହୋଟେଲର ସିସିଟିଭି ଫୁଟେଜ, ଋଷ ପର୍ଯ୍ୟଟକ ଓ ସାଂସଦ ରହୁଥିବା ରୁମ୍, ଟୁରିଷ୍ଟ ଗାଇଡଙ୍କ ରୁମ, ଘଟଣାସସ୍ଥଳରେ ଛାନଭିନ କରିଥିଲେ କ୍ରାଇମବ୍ରାଞ୍ଚ ଟିମ।

ଏହା ସହ ମୃତଦେହ ଜବତ ସମୟରେ ଉପସ୍ଥିତ ଥିବା ହୋଟେଲ କର୍ମଚାରୀ, ପୋଲିସ ଅଧିକାରୀ ଏବଂ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଦଳ, ଶେଷକୃତ୍ୟ ସମୟରେ ଉପସ୍ଥିତ ଥିବା ମାଜିଷ୍ଟ୍ରେଟଙ୍କ ସହ କ୍ରାଇମବ୍ରାଞ୍ଚ ଟିମ୍ ଆଲୋଚନା କରିଛନ୍ତି।

କ୍ରାଇମବ୍ରାଞ୍ଚ ଟିମ ସହ ସାଇଣ୍ଟିଫିକ ଟିମ ହୋଟେଲ ରୁମରେ ପଡ଼ିଥିବା ମଦ ବୋତଲ, ଖାଦ୍ୟ ପଦାର୍ଥ ସହ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇବି) ରାୟଗଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Tags: #RussiaTourist #RussiaTouristUnnaturalDeath #CrimeBranchInvestigation #Rayagada

Comment