ଓଡ଼ିଶାଲାଇଭ୍ ବ୍ୟୁରୋ

ସେଣ୍ଟର ଫର୍‌‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ପକ୍ଷରୁ ଡିସେମ୍ବର ମାସ ପାଇଁ ଦେଶରେ ଥିବା ବେକାରୀ ହାରର ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦେଶର ବେକାରୀ ହାର ୮.୩ ପ୍ରତିଶତ ରହିଛି, ଯାହା ୧୬ ମାସରେ ସର୍ବାଧିକ ସ୍ତରରେ ପହଁଞ୍ଚିଛି। ସିଏମଆଇଇ ତଥ୍ୟ ଅନୁସାରେ ଓଡ଼ିଶାରେ ବେକାରୀ ହାର ୦.୯ ପ୍ରତିଶତ ରହିଛି। ଏହି ରିପୋର୍ଟ ସାରାଦେଶରେ ଓଡ଼ିଶାର ବେକାରୀ ସମସ୍ୟା ସର୍ବନିମ୍ନ ଥିବା ଦର୍ଶାଉଛି। ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ହରିଆଣା ୩୭.୪ ପ୍ରତିଶତ ସହିତ ବେକାରୀ ସମସ୍ୟାରେ ସବୁଠାରୁ ଆଗରେ ରହିଛି।

ସିଏମଆଇର ରିପୋର୍ଟରେ ଡିସେମ୍ବର ମାସରେ ଓଡ଼ିଶା ତଳକୁ ଗୁଜରାଟ, କର୍ଣ୍ଣାଟକ, ମେଘାଳୟ ଓ ମହାରାଷ୍ଟ୍ରରେ ବେକାରୀ ହାର ସବୁଠାରୁ କମ୍‌‌ ରହିଛି। ଗୁଜୁରାଟରେ ବେକାରୀ ହାର ୨.୩ ପ୍ରତିଶତ ଥିଲା ବେଳେ କର୍ଣ୍ଣାଟକରେ ୨.୫ ପ୍ରତିଶତ, ମେଘାଳୟରେ ୨.୭ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୩.୧ ପ୍ରତିଶତ ରହିଛି।

ଭାରତରେ ହରିଆଣା ପରେ ରାଜସ୍ଥାନ, ଦିଲ୍ଲୀ, ବିହାର ଆଦି ରାଜ୍ୟର ବେକାରୀ ହାର ଅଧିକ ରହିଛି। ବେକାରୀ ହାର ତାଲିକାରେ ହରିଆଣା ପଛକୁ ରାଜସ୍ଥାନରେ ୨୮.୫ ପ୍ରତିଶତ, ଦିଲ୍ଲୀରେ ୨୦.୮ ପ୍ରତିଶତ, ବିହାରରେ ୧୯.୧ ପ୍ରତିଶତ ଏବଂ ଝାଡ଼ଖଣ୍ଡରେ ୧୮ ପ୍ରତିଶତ ରହିଛି।

“ରାଜ୍ୟରେ ବେକାରୀ ସମସ୍ୟାର ନିରାକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି। ଏହି ସବୁ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶାର ବେକାରି ହାର ଦେଶରେ ସର୍ବନିମ୍ନ ହୋଇପାରିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସିଏମଆଇଇ ରିପୋର୍ଟ ଅନୁସାରେ ଭାରତରେ ସହରାଞ୍ଚଳରେ ବେକାରୀ ହାର, ଗ୍ରାମାଞ୍ଚଳ ତୁଳନାରେ ଅଧିକ ଅଟେ। ଡିସେମ୍ବର ମାସରେ ସହରାଞ୍ଚଳରେ ବେକାରୀ ହାର ୧୦.୦୯ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ୭.୪୪ ପ୍ରତିଶତ ରହିଛି।

୨୦୨୨ ଜୁଲାଇ ମାସରେ ମଧ୍ୟ ଓଡ଼ିଶାର ବେକାରୀ ହାର ଦେଶରେ ସର୍ବନିମ୍ନ ଥିଲା। ନଭେମ୍ବର ଓ ଅକ୍ଟୋବର ମାସରେ ଓଡ଼ିଶା ବେକାରୀ ହାର ତାଲିକାରେ ଭାରତରେ ଶ୍ରେଷ୍ଠ ୩ ରାଜ୍ୟଙ୍କ ମଧ୍ୟରେ ରହିଥିଲା।

Tags: #CentreForMonitoringIndianEconomy #CMIE #unemploymentRate #Lowest #Odisha #India

Comment