ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି। ଡିସେମ୍ବର ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାକ୍ତର ଶୁଭଶ୍ରୀ ଜିରୋ ନାଇଟ ସେଲିବ୍ରେସନ କରିଥିଲେ। ନିଜ ଭଡ଼ା ଘରେ କିଛି ବନ୍ଧୁଙ୍କ ସହ ଡାକ୍ତର ଶୁଭଶ୍ରୀ ଖୁସିରେ ନାଚୁଥିବାର ଏକ ଭିଡିଓ ଭାଇରାଲ ମଧ୍ୟ ହେଉଛି। ରାତିକ ଭିତରେ ଏମିତି କ’ଣ ହେଲା ଯେ, ଶୁଭଶ୍ରୀଙ୍କର ଏପରି ଅବସ୍ଥା ହେଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଡାକ୍ତର ଶୁଭଶ୍ରୀ କର ଜିରୋ ନାଇଟ ସେଲିବ୍ରେସନ କରିଥିଲେ। ତା’ ପରଦିନ ସେ ରହୁଥିବା ରୁମର କବାଟ ଖୋଲିନଥିଲେ। ତାଙ୍କର କିଛି ସହଯୋଗୀ ରୁମ କବାଟ ଭାଙ୍ଗି ଅଚେତ ଅବସ୍ଥାରେ ଡାକ୍ତର ଶୁଭଶ୍ରୀଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କିଛି ଗଣମାଧ୍ୟମର ସୂଚନା ଅନୁସାରେ ୨୦୨୨ ଡିସେମ୍ବର ୨୨ ତାରିଖରେ ଡାକ୍ତର ଶୁଭଶ୍ରୀ ନିଜ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିବା ଦିବ୍ୟରଞ୍ଜନ ତାଙ୍କୁ ବିବାହ କରିବାକୁ ମନା କରୁଥିବା ସେ ଏତଲାରେ ଦର୍ଶାଇଥିଲେ। ଏବେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

Tags: #DrSubhashreeKar #UnnaturalDeath #PoliceInvestigation

Comment