ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କର ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା ଚଳାଇଛି ପୋଲିସ। ଏହାରି ମଧ୍ୟରେ ମଙ୍ଗଳବାର ଦିନ ଆସିଛି ଡାକ୍ତର ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ। ବିଷ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଉଛି।

ଗତ ଡିସେମ୍ବର ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାକ୍ତର ଶୁଭଶ୍ରୀ କର ସାଙ୍ଗମାନଙ୍କ ସହ ଜିରୋ ନାଇଟ ସେଲିବ୍ରେସନ କରିଥିଲେ। ନିଜ ଭଡ଼ା ଘରେ କିଛି ବନ୍ଧୁଙ୍କ ସହ ସେ ଖୁସିରେ ନାଚୁଥିବାର ଏକ ଭିଡିଓ ଭାଇରାଲ ମଧ୍ୟ ହେଉଛି। ରାତିକ ଭିତରେ କାହିଁକି ଚିତ୍ର ବଦଳିଗଲା ତାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି।

ଡାକ୍ତର ଶୁଭଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଆଉ ଏକ ଖବର ସାମ୍ନାକୁ ଆସିଛି। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ୨୦୨୨ ଡିସେମ୍ବର ୨୦ ତାରିଖରେ ଡାକ୍ତର ଶୁଭଶ୍ରୀ ନିଜ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝିଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ସମ୍ପର୍କ ରଖିବା ପରେ ଦିବ୍ୟରଞ୍ଜନ ବିବାହ କରିବାକୁ ମାନା କରିଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଶୁଭଶ୍ରୀଙ୍କ ମୃତ୍ୟୁ ପରେ ଏବେ ଡାକ୍ତର ଦିବ୍ୟରଞ୍ଜନଙ୍କ ଅଡ଼ୁଆ ବଢ଼ିଛି।

ଡିସେମ୍ବର ୩୧ ତାରିଖ ରାତିରେ ସାଙ୍ଗମାନଙ୍କ ସହ ଡାକ୍ତର ଶୁଭ୍ରଶ୍ରୀ ଜିରୋ ନାଇଟ ସେଲିବ୍ରେସନ କରି ନିଜ ରୁମକୁ ଶୋଇବାକୁ ଯାଇଥିଲେ। ତା’ ପରଦିନ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୁଭଶ୍ରୀ ନିଜ ରୁମର କବାଟ ଖୋଲି ନଥିଲେ। ସନ୍ଦେହ ହେବାରୁ ସାଙ୍ଗମାନେ ତାଙ୍କ ରୁମ କବାଟ ବାଡ଼େଇ ଥିଲେ ମଧ୍ୟ ଶୁଭଶ୍ରୀ କବାଟ ଖୋଲି ନଥିଲେ। କାବାଟ ଭାଙ୍ଗି ଅଚେତ ଅବସ୍ଥାରେ ଡାକ୍ତର ଶୁଭଶ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ଶିଶିରେ ଥିବା ଔଷଧଗୁଣ୍ଡ ଏବଂ ମୋବାଇଲ ଜବତ କରିଛି।

ଏହି ଔଷଧ ଗୁଣ୍ଡକୁ ଟେଷ୍ଟିଂ ପାଇଁ ଲାବକୁ ପଠାଯାଇଥିବାବେଳେ ଡାକ୍ତର ଶୁଭଶ୍ରୀଙ୍କ କଲ ରେକର୍ଡ ଯାଞ୍ଚ କରୁଛି ପୋଲିସ।

Tags: #DrSubhashreeKar #UnnaturalDeath #PoliceInvestigation #PostMortemReport

Comment