ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଏହାରି ମଧ୍ୟରେ ଗୁରୁବାର ଦିନ ଭାରତୀୟ ହକି ଖେଳାଳିଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତ ହକି ବିଶ୍ଵକପ ଜିତିଲେ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ରାଉରକେଲାଠାରେ ନିର୍ମାଣ ହୋଇଥିବା ବିଶ୍ଵର ଅନ୍ୟତମ ବୃହତ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବାକୁ ପହଞ୍ଚିଥିବାବେଳେ ଏହି ଘୋଷଣା କରିଛନ୍ତି। ଭୁବନେଶ୍ଵରରୁ ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଦିନ ୧୨ଟା ୫୨ ମିନିଟରେ ରାଉରକେଲାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଥିଲେ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ହକି ଦଳଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଉତ୍ତମ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଭାରତ ଦଳ ହକି ବିଶ୍ଵକପ ଜିତିଲେ ପ୍ରତି ଖେଳାଳିଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିବାକୁ ସେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ନିଶ୍ଚିତ ଭାବେ ଭାରତୀୟ ହକି ଖେଳାଳିଙ୍କୁ ଉତ୍ସହିତ କରିବ ବୋଲି କୁହାଯାଉଛି।

Tags: #HockeyWorldCup2023 #CMOdisha #NaveenPatnaik #TeamIndia #HockeyStadium

Comment