ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରୁ ରାଉରକେଲାକୁ ଶନିବାର ଦିନ ଆରମ୍ଭ ହୋଇଛି ବିମାନ ସେବା। ସକାଳ ୧୦ଟା ୪୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଛି ଆଲାଏନ୍ସ ଏୟାର ବିମାନ। ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଶୁଭାରମ୍ଭ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ଵରରୁ ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଯୋଗେ ଦେଇଥିଲେ। କିନ୍ତୁ ବିମାନ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେପି।

ରାଜ୍ୟ ସରକାର ଜାଣିଶୁଣି କୌଣସି ପୋଷ୍ଟାର କିମ୍ବା ବ୍ୟାନରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସାମିଲ କରିନଥିବା ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାକୁ ନେଇ ଏବେ ତେଜିବାରେ ଲାଗିଛି ରାଜନୀତି। କେନ୍ଦ୍ରମନ୍ତ୍ରୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, “ଛୋଟ ମନରେ କେବେ ବଡ଼ କାମ ହୋଇପାରେ ନାହିଁ। ଏହା ଆମ ଓଡ଼ିଆଙ୍କ ପରମ୍ପରା ନୁହେଁ। ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ସେ ଆହୁରି ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲିରେ ଓଡ଼ିଶାର ବାଲିଯାତ୍ରା କଥା ଉଠାଇଥିଲେ। ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଓଡ଼ିଶାର ଟେକ ବଢ଼ାଇଲେ। ଓଡ଼ିଶାର ବିକାଶକୁ ସବୁବେଳେ ସେ ଗୁରୁତ୍ଵ ଦେଇ ଆସୁଛନ୍ତି। କିନ୍ତୁ ଓଡ଼ିଶାରେ ବିମାନସେବା ଆରମ୍ଭ ହେଲା, ଅଥଚ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଲେ ନାହିଁ। ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଲେ ନାହିଁ।

କେବେଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୁହନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଥିଲେ ଏହି ବିମାନ ସେବା ଲାଗି କେନ୍ଦ୍ର ସରକାରଙ୍କ ଅବଦାନ ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜି ଏହିଭଳି ପରିସ୍ଥିତି ଉପୁଜିଲା। ଏହା ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି।

ଆଜି ସକାଳ ୧୦ଟା ୪୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରୀଙ୍କୁ ଧରି ଉଡ଼ାଣ ସେବା ଆରମ୍ଭ କରିଛି ଆଲାଏନ୍ସ ଏୟାର ବିମାନ। ଏହି ବିମାନ ୧୧ଟା ୪୦ ମନିଟରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ୧୨ଟା ୫ ମିନିଟରେ ରାଉରକେଲାରୁ ବାହାରି ଦିନ ୧ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲା ଆଲାଏନ୍ସ ଏୟାର ବମାନ।

ଆସନ୍ତା ୧୨ ତାରିଖରୁ ରାଉରକେଲାକୁ ଦୈନିକ ଉଡାଣ ଜାରି ରହିବ। ପ୍ରତିଦିନ ଏହି ବିମାନ ଭୁବନେଶ୍ଵରରୁ ଦିନ ୨ଟା ୫୫ ମିନିଟରେ ଉଡ଼ାଣ ଆରମ୍ଭ କରି ରାଉରକେଲା ବିମାନ ବନ୍ଦରରେ ଦିନ ୩ଟା ୫୦ ମିନିଟରେ ଅବତରଣ କରିବ।

ହେସିପରି ରାଉରକେଲାରୁ ଅପରାହ୍ଣ ୪ଟା ୧୫ ମିନିଟରେ ବାହାରି ସନ୍ଧ୍ୟା ୫ଟା ୧୦ ମିନିଟରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବ। ଭୁବନେଶ୍ଵରରୁ ରାଉରକେଲା ବିମାନ ଯାତ୍ରା ଲାଗି ଟିକେଟ ମୂଲ୍ୟ ରହିଛି ୨,୮୦୩ ଟଙ୍କା। ସେହିଭଳି ରାଉରକେଲାରୁ ଭୁବନେଶ୍ଵରକୁ ଯାତ୍ରା ନିମନ୍ତେ ଟିକେଟର ମୂଲ୍ୟ ରହିଛି ୨, ୭୨୧ ଟଙ୍କା। ଏହି ବିମାନରେ ୭୨ ସିଟର ବ୍ୟବସ୍ଥା ରହିଛି।

ଓଡ଼ିଶା ସରକାର, ସେଲ, ବେସାମରିକ ବିମାନ ଚଳାଚନ ମନ୍ତ୍ରାଳୟ, କେନ୍ଦ୍ର ସରକାର ଏବଂ ବିମାନବନ୍ଦର ପ୍ରାଧିକରଣର ମିଳିତ ଉଦ୍ୟମରେ ଉଡ଼ାଣ ଯୋଜନାରେ ରାଉରକେଲା ବିମାନବନ୍ଦରକୁ ନିର୍ଦ୍ଧାରିତ ବାଣିଜ୍ୟିକ ବିମାନ ଚଳାଚଳ ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇଛି। ଆଲିଆନ୍ସ ଏୟାର ପକ୍ଷରୁ ଭୁବନେଶ୍ଵର ଏବଂ ରାଉରକେଲା ମଧ୍ୟରେ ନିର୍ଦ୍ଧାରିତ ବିମାନ ଚଳାଚଳ କରିବ।

Tags: #Politics #OdishaPolitics #BJD #BJP #DharmendraPradhan #AparajitaSarngi #AirServicetoRourkela

LEAVE A REPLY

Please enter your comment!
Please enter your name here