ଓଡ଼ିଶାଲାଇଭ୍ ବ୍ୟୁରୋ

  • ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି
  • ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି
  • ଆଗାମୀ ୫ ବର୍ଷରେ ମିଳିବ ୧,୨୦୦ କୋଟି ଟଙ୍କାର ସୁଧ ରିହାତି
  • ମା’ମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଇପାରୁଛନ୍ତି, ଏହା ହିଁ ପ୍ରକୃତ ରୂପାନ୍ତର – ମୁଖ୍ୟମନ୍ତ୍ରୀ
  • ‘ମିଶନ ଶକ୍ତି’ ଏବେ ପାଲଟିଛି ମା’ମାନଙ୍କର ଜୀବନଧାରା
  • ଯାଜପୁରରେ ଉଦଘାଟିତ ହେଲା ମିଶନ ଶକ୍ତି ଭବନ

ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି। ସୋମବାର ଦିନ ଲୋକସେବା ଭବନ କନଭେନସନ ସେଣ୍ଟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା’ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି।

ଏହି ଅବସରରେ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକରେ ଭର୍ଚୁଆଲ ଜରିଆରେ ଯୋଡ଼ି ମିଶନ ଶକ୍ତି ଗ୍ରୁପର ମା’ମାନେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, “ମା’ମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟଠାରୁ ଆରମ୍ଭ କରି ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି। ମା’ମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର। ଆଗାମୀ ଦିନରେ ମା’ମାନେ ଆହୁରି ବଡ଼ ବଡ଼ ନିଷ୍ପତ୍ତି ନେବେ ଓ ଓଡ଼ିଶାର ରୂପାନ୍ତରରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ଦେବେ।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ହୋଇ ରହିନାହିଁ, ଏହା ଏହା ମା’ମାନଙ୍କର ଏକ ଜୀବନଧାରା ପାଲଟିଛି। ୭୦ ଲକ୍ଷ ମା’ମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡ଼ିଶା ବିକାଶର ନୂଆ ଇତିହାସ ଲେଖୁଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ “ମା’ମାନଙ୍କୁ ମୁଁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହେଁ।” ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲ୍ଲାସ୍ତରୀୟ ଫେଡେରେସନକୁ ଏକ କୋଟି ଟଙ୍କା ଓ ବ୍ଲକ୍‌ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି କାର୍ଯ୍ୟକ୍ରମ ମା’ମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ବୋଲି ମୁଖମନ୍ତ୍ରୀ କହିଛନ୍ତି।

ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧,୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭର୍ଚୁଆଲ ମାଧ୍ୟମରେ ଉଧଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ କାର୍ଯ୍ୟକ୍ରମ ଆଜି ଏକ ବୈପ୍ଲବିକ ଆନ୍ଦୋଳନରେ ପରିଣତ ହୋଇଛି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ଯେଉଁ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି, ତାହା ମା’ମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମିଶାନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଏହି ଅବସରରେ କହିଛନ୍ତି।

କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ କହିଥିଲେ, ଆଗରୁ ସୁଧ ରିହାତି ପାଇବା ପାଇଁ ମା’ମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ। ଏବେ ସେ ଅବସ୍ଥା ଆଉ ନାହିଁ। ୫-ଟିରେ ଟେକ୍ନୋଲୋଜିର ବ୍ୟବସ୍ଥା କରାଯାଇ ଶୀଘ୍ର ସୁଧ ରିହାତି ହିସାବ କରି ମା’ମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯାଉଛି। ମା’ମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ ଏବଂ ମା’ ମାନେ କେବଳ ପାରମ୍ପରିକ ବ୍ୟବସାୟ ନୁହେଁ ବରଂ ବିଭିନ୍ନ ଆଧୁନିକ ବ୍ୟାବସାୟ ଯଥା – ଫ୍ୟାସନ ଡିଜାଇନ, କୃଷି ଉଦ୍ୟୋଗ, ବ୍ୟୁଟି ଓ ୱେଲନେସ୍‌ ଆଦି ବ୍ୟବସାୟ କରିବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଉଛି। ମା’ମାନେ ଏବେ ବ୍ୟବସାୟ କରି ନିଜର ପରିଚୟ ନେଇ ଆଗକୁ ବଢ଼ିବେ ବୋଲି ସେ କହିଥିଲେ।

ଶେଷରେ ଓଡ଼ିଶା ଜୀବିକା ମିଶନର ସିଇଓ ମାନସୀ ନିମ୍ଭାଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଡକ୍ଟର ଗୀତା ବସ୍ତିଆ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Tags: #MissionShaktiLoan #CMOdisha #NaveenPatnaik #InterestSubventionBenefits

Comment