ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ହକି ମାନଚିତ୍ରରେ ଓଡ଼ିଶା, ଦିଲ୍ଲୀପ ତିର୍କୀଙ୍କ କ୍ରୀଡ଼ା ଜୀବନ ଏବଂ ୨୦୨୩ ପୁରୁଷ ହକି ବିଶ୍ୱକପକୁ ନେଇ ଓଡ଼ିଶାଲାଇଭ୍ ସହ ତାଙ୍କର ସ୍ୱତନ୍ତ୍ର ସାକ୍ଷାତକାର

ହକି ହିରୋ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ନୂଆ ପିଢ଼ିର ଖେଳାଳିଙ୍କ ପାଇଁ ପଥପ୍ରଦର୍ଶକ। ସେ ତାଙ୍କ କ୍ୟାରିୟରରେ ମୋଟ ୪୧୨ଟି ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୧୯୯୬ରେ ଆଟଲାଣ୍ଟା, ୨୦୦୦ରେ ସିଡନୀ ଏବଂ ୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସରେ ମଧ୍ୟ ସେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଖାସ୍ କଥା ହେଉଛି ଆଜି ବି ତାଙ୍କୁ ଭାରତୀୟ ହକିର ଶ୍ରେଷ୍ଠ ଡିଫେଣ୍ଡର ବୋଲି କୁହାଯାଏ।

ସୁନ୍ଦରଗଡ଼ ଜିଲ୍ଲା ସଉନାମୁରାରେ ଦିଲ୍ଲୀପଙ୍କ ଜନ୍ମ

୨୫ ନଭେମ୍ବର ୧୯୭୭ ସୁନ୍ଦରଗଡ଼ ଜିଲ୍ଲା, ବାଲିଶଙ୍କରା ବ୍ଲକର ସଉନାମୁରା ଗାଁରେ ଦିଲ୍ଲୀପଙ୍କ ଜନ୍ମ।  ତାଙ୍କ ବାପା ଭିନସେଣ୍ଟ ତିର୍କୀ ସିଆରିପିଏଫରେ ଚାକିରି କରୁଥିଲେ। ସେ ମଧ୍ୟ ଭଲ ହକି ଖେଳୁଥିଲେ। ଦିଲ୍ଲୀପଙ୍କ ଦୁଇ ଭାଇ ଅନୁପ ଓ ଅଜିତ ମଧ୍ୟ ହକି ଖେଳନ୍ତି। ଦିଲ୍ଲୀପ ସୁନ୍ଦରଗଡ଼ର ସାଇ (ସ୍ପୋଟର୍ସ ଅଥରିଟି ଅଫ୍‌ ଇଣ୍ଡିଆ) କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଇଥିଲେ। ଏହାପରେ ସେ ନୂଆ ଦିଲ୍ଲୀସ୍ଥିତ ଏୟାର ଇଣ୍ଡିଆ ହକି ଏକାଡେମୀରେ ଟ୍ରେନିଂ ନେଇ ଖେଳରେ ଉନ୍ନତି ଆଣିଥିଲେ। ଏହାପରେ ଜୁନିୟରସ୍ତରରେ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା। ବିଭିନ୍ନ ଜୁନିୟର ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପରେ ୧୯୯୩ରେ ଜାତୀୟ ସିନିୟର ଦଳରେ ଦିଲ୍ଲୀପଙ୍କୁ ସ୍ଥାନ ମିଳିଥିଲା।

‘‘ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ହକି ଖେଳର ଲୋକପ୍ରିୟତା ଅଧିକ। ଛୋଟରୁ ବଡ଼ ଯାଏଁ ପ୍ରତ୍ୟେକ ହକି ଖେଳିବାକୁ ଭଲ ପାଆନ୍ତି। ସେଥିପାଇଁ ଆମ ଅଞ୍ଚଳରେ ନିୟମିତ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୁଏ। ତେଣୁ ପ୍ରାୟ ୬/୭ ବର୍ଷରୁ ହକି ମୋ ଭିତରେ ଦୁର୍ବଳତା ଆସିସାରିଥିଲା’’, ପିଲାଦିନର ସ୍ମୃତିକୁ ମନେ ପକାଇ ଏଭଳି କହନ୍ତି ଦିଲ୍ଲୀପ ତିର୍କୀ।

ସୁନ୍ଦରଗଡ଼ ଜିଲ୍ଲାରେ ହକିର ଏତେ କ୍ରେଜ କାହିଁକି ପଚାରିଲେ ଦିଲ୍ଲୀପ କହନ୍ତି, ‘‘ଆମ ଗୁରୁଜନମାନେ କହନ୍ତି ଅଶୀ କି ନବେ ବର୍ଷ ତଳେ ମିଶନାରୀମାନେ ଆସିଥିଲେ। ସେହିମାନେ ହକି ଖେଳର ଆରମ୍ଭ କରିଥିଲେ।  ଧୀରେ ଧୀରେ ଲୋକେ ବି ହକିକୁ ମୁଖ୍ୟ ଖେଳ ଭାବେ ଗ୍ରହଣ କରିନେଲେ। ସେହି ଲୋକପ୍ରିୟତା ଆଜି ସଫଳତାରେ ପରିଣତ ହୋଇଛି। ଏବେ ସେଠାରେ ଚାଲିଥିବା ଖାସି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କୁ ଆହୁରି ଉତ୍ସାହିତ କରୁଛି।

୩ଟି ଅଲିମ୍ପିକ୍ସରେ ଖେଳିଛନ୍ତି ଦିଲ୍ଲୀପ

ଦିଲ୍ଲୀପ ତାଙ୍କ କ୍ୟାରିୟରରେ ୩ଥର ଅଲିମ୍ପିକ୍ସ ଖେଳିଛନ୍ତି। ସେଗୁଡ଼ିକ ହେଲା ୧୯୯୬ରେ ଆଟଲାଣ୍ଟା, ୨୦୦୦ରେ ସିଡନୀ ଓ ୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସ। ଏହାମଧ୍ୟରୁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର କ୍ୟାପଟେନ ଥିଲେ। ଏହାଛଡ଼ା ଦିଲ୍ଲୀପ ସାଫ୍‌ ଗେମ୍ସ, ୧୯୯୭ରେ ଚ୍ୟାଲେଞ୍ଜର୍ସ କପ୍‌, ୧୯୯୮ରେ ଏସିଆ କପ୍‌, ୨୦୦୦ରେ ସୁଲତାନ ଆଜଲାନ୍‌ ଶାହା କପ୍‌, ୨୦୦୨ରେ ଚାମ୍ପିୟନ ଟ୍ରଫି, ୨୦୦୨ରେ ଏସିଆନ ଗେମ୍ସ, ୨୦୦୩ରେ  ଆଫ୍ରୋ ଏସିଆନ ଗେମ୍‌ ପ୍ରଭୃତି ଖେଳିଛନ୍ତି।

ଏହାପରେ ୨୦୦୬ରେ ରାଉରକେଲା ଝିଅ ମୀରା ର୍ତିକୀଙ୍କୁ ଦିଲ୍ଲୀପ ବିବାହ କରିଥିଲେ। ଦିଲ୍ଲୀପଙ୍କ ପୁଅ ମଧ୍ୟ କ୍ରୀଡ଼ାରେ ରୁଚି ରଖନ୍ତି।

‘‘ହିକ ଦିନେ ପରିଚୟ ଦେବ ମୁଁ ଭାବି ନଥିଲି’’

‘‘ପାଠରେ ମୁଁ ଏତେ ଭଲ ନଥିଲି। କାରଣ ପିଲାବେଳୁ ମୁଁ ଖେଳରେ ମାତୁଥିଲି। ୧୨/୧୩ ବର୍ଷ ବୟସରେ ମୁଁ ହଷ୍ଟେଲ ପଳେଇଥିଲି। ଆଜି ଆଜି ଭାବୁଛି ଯଦି ଖେଳ ପରିଚୟ ଦେଇନଥାନ୍ତା, ତାହେଲେ ଭବିଷ୍ୟତ କ’ଣ ହୋଇଥାନ୍ତା?’’, କହନ୍ତି ଦିଲ୍ଲୀପ ତିର୍କୀ।

ସେ ଆହୁରି ମଧ୍ୟ କହନ୍ତି, ‘‘ଭାରତୀୟ ଜାତୀୟ ଦଳର ଅଧିନାୟକ ହେବା ମୋ ପାଇଁ ସବୁଠୁ ବଡ଼ ଗର୍ବର କଥା ଥିଲା। କାରଣ ମୁଁ ହକି ମୋର ମନୋରଞ୍ଜନ ପାଇଁ ଖେଳୁଥିଲି। କିନ୍ତୁ ହକି ଯେ ଦିନେ ପୂରା ବିଶ୍ୱରେ ପରିଚିତ କରାଇବ ସେ କଥା ମୁଁ କେବେ ସ୍ୱପ୍ନରେ ଭାବିନଥିଲି। ଆଗରୁ ଧ୍ୟାନଚାନ୍ଦ, ଜୟପାଲ ସିଂହ, ମହମ୍ମଦ ସଇଦ ପ୍ରଭୃତି ମହାନ ଖେଳାଳିମାନେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ। ମୁଁ ଏମାନଙ୍କ ନାଁ ଶୁଣିଥିଲି। ଦିନେ ସେହି ଦିନର ପ୍ରତିନିଧିତ୍ୱ କରିବା ଏହା ଥିଲା ମୋ ପାଇଁ ସମ୍ପୂର୍ଣ୍ଣ ନିଆରା ଅନୁଭବ’’, କହନ୍ତି ଦିଲ୍ଲୀପ।

ରାଜନୀତିରେ ଦିଲ୍ଲୀପଙ୍କ ପ୍ରବେଶ

ଆହତ ହେବା ଯୋଗୁଁ ୨୦୧୦ରେ ଅନ୍ତର୍ଜାତୀୟ କ୍ରୀଡ଼ାରୁ ଅବସର ନେଇଥିଲେ ଦିଲ୍ଲୀପ। ଏହାପରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।  ଦଳ ପକ୍ଷରୁ ସେ ରାଜ୍ୟସଭାକୁ ମଧ୍ୟ ଯାଇଥିଲେ। ୨୦୧୨ରୁ ୨୦୧୮ ଯାଏଁ ସେ ସାଂସଦ ଭାବେ କାର୍ଯ୍ୟ କରିଥିଲେ। ସେତେବେଳେର ସ୍ମୃତିକୁ ମନେ ପକାଇ ଦିଲ୍ଲୀପ କହନ୍ତି, ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ଅଳ୍ପ ବୟସରେ ରାଜ୍ୟସଭାକୁ ପଠାଇ ଏକ ନୂଆ ପରାମ୍ପରା ସୃଷ୍ଟି କରିଥିଲେ। ସାଂସଦ ଥିବା ସମୟରେ ମୁଁ ହକି ଖେଳ ସମ୍ପର୍କରେ ଅନେକ ମତାମତ ଉପସ୍ଥାପନ କରିଛି। ବହୁତ କିଛି ମୁଁ ଶିଖିବାକୁ ପାଇଛି’’।

ଦିଲ୍ଲୀପ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

‘‘ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ପରେ ହକିର ଲୋକପ୍ରିୟତା ବଢ଼ିଛି’’

‘‘ଓଡ଼ିଶା ସରକାର ଏବେ ଭାରତୀୟ ହକି ଦଳ ପ୍ରାୟୋଜକ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଏବେ କ୍ରୀଡ଼ାକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ୨୦୧୮ରେ ଓଡ଼ିଶା ସରକାର ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ କରିଥିଲା। ଏବେ ପୁଣି ୨୦୨୩ରେ ହକି ମହାକୁମ୍ଭ ହେବାକୁ ଯାଉଛି। ଏଥିପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ସୁନ୍ଦରଗଡ଼ର ବିତ୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ବିଶ୍ୱକପ ଖେଳାଯିବ। ଯାହା ଲକ୍ଷ୍ୟ କରାଯାଉଛି ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ଖେଳାଳିଙ୍କ ମନୋବଳ ବଢ଼ିଛି। ଓଡ଼ିଶାକୁ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ମିଳିଛି’’, କହନ୍ତି ଦିଲ୍ଲୀପ।

ଗତ ଟୋକିଓ ଅଲିମ୍ପିକ୍ସରେ ଆମ ଟିମ୍‌ ଭଲ ପ୍ରଦର୍ଶନ କରିଥିଲେ। ଆମ ସୁନ୍ଦରଗଡ଼ ମାଟିର ପୁଅ ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଝିଅଙ୍କ ମଧ୍ୟରେ ଦୀପ ଗ୍ରେସ ଏକ୍କା ଓ ନମିତା ଟପ୍ପୋ ଭଲ ଖେଳିଥିଲେ। ଏବେ ଟିମ୍‌ ମଧ୍ୟ ଦୃଢ଼ ଅଛି। ତେଣୁ ମୋର ବିଶ୍ୱାସ ୨୦୨୩ ପୁରୁଷ ହକି ବିଶ୍ୱକପରେ ଆମ ଟିମ୍‌ ଭଲ ଖେଳିବେ।

ଦିଲ୍ଲୀପଙ୍କ ଉପାଧୀ ସମ୍ମାନ

ହକିରେ ଭଲ ପ୍ରଦର୍ଶନ କରି ଦିଲ୍ଲୀପ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତେଣୁ ଦିଲ୍ଲୀପ ନିଜର ଦୀର୍ଘ କ୍ରୀଡ଼ା କ୍ୟାରିୟରରେ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ୧୯୯୬ରେ ସମ୍ମାନଜନକ ଏକଲବ୍ୟ ପୁରସ୍କାର, ୨୦୦୦ରେ ଅର୍ଜୁନ ପୁରସ୍କାର, ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି।

Tags: #HockeyIndia #Hockey #Sports #DilipTirkey #SuccessStory #TheIndianDefender #SundargarhSaunamara

Comment