ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ବର୍ଷର ପୁଅକୁ ହତ୍ୟା କରିବା ପରେ ସାବତ ମା’ର ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ଦିନ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଥିବାବେଳେ ମଙ୍ଗଳବାର ଦିନ ମୃତ ମହିଳାଙ୍କ ସ୍ଵାମୀକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମୃତ ମହିଳାଙ୍କ ସ୍ଵାମୀ ସନ୍ତୋଷ ଖୁଣ୍ଟିଆ।

କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳର ଏକ ଘରୁ ଶିଳ୍ପୀ ଖୁଣ୍ଟିଆଙ୍କ ମୃତ  ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଥିବାବେଳେ ସେହି ଘରୁ ଶିଳ୍ପୀଙ୍କ ଦୁଇ ବର୍ଷର ସାବତ ପୁଅର ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।

ଏହା ପରେ ମୃତ ଶିଳ୍ପୀଙ୍କ ପରିବାର ଏବଂ ସ୍ଵାମୀ ସନ୍ତୋଷ ଖୁଣ୍ଟିଆଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥିଲା। ସନ୍ତୋଷ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବାରୁ ଶିଳ୍ପୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ ଶିଳ୍ପୀଙ୍କ ପରିବାର ଲୋକ। ଅନ୍ୟ ପକ୍ଷରେ ଶିଳ୍ପୀଙ୍କ ମା’ ଓ ଭଉଣୀଙ୍କ ଯୋଗୁଁ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା ବୋଲି ପାଲଟା ଅଭିଯୋଗ କରିଥିଲେ ସନ୍ତୋଷ। ସେ ଆହୁରି ମଧ୍ୟ କହିଥିଲେ ଯେ, ଝଗଡ଼ା ଲାଗିବା ସମୟରେ ଶିଳ୍ପୀ ପୁଅକୁ ମାରିଦେବାକୁ ଧମକ୍ ଦେଉଥିଲେ।

ଶିଳ୍ପୀଙ୍କ ପରିବାର ପକ୍ଷରୁ ସନ୍ତୋଷଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ପରେ ପୋଲିସ ମୃତ ଶିଳ୍ପୀଙ୍କ ସ୍ଵାମୀ ସନ୍ତୋଷଙ୍କୁ ଆଜି ଗରିଫ କରିଛି।

ଶିଳ୍ପୀଙ୍କ ଶବ ନେଲେନି ଶାଶୂଘର ଲୋକ

ଶିଳ୍ପୀ ଏବଂ ତାଙ୍କ ଦୁଇ ବର୍ଷର ସାବତ ପୁଅର ମୃତ ଦେହ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶାଶୂଘର ଲୋକ ଶିଳ୍ପୀଙ୍କ ମୃତ ଦେହ ନେବାକୁ ମନା କରିଦେଇଥିଲେ। କେବଳ ସନ୍ତୋଷଙ୍କ ପୁଅର ମୃତ ଦେହ ନେଇ ସାଲେପୁର ଚାଲିଯାଇଥିଲେ। ପୁରୀ ସ୍ଵର୍ଗଦ୍ଵାରରେ ଶିଳ୍ପୀଙ୍କ ଦାହ ସଂସ୍କାର କାର୍ଯ୍ୟ କରିଥିଲେ ତାଙ୍କ ବାପଘର ଲୋକ।

ଶିଳ୍ପୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ ସନ୍ତୋଷ

ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଶିଳ୍ପୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ ସନ୍ତୋଷ ଖୁଣ୍ଟିଆ। ସନ୍ତୋଷଙ୍କ ପ୍ରଥମ ପତ୍ନୀ ପୁଅ ଜନ୍ମ ହେବା ପରେ ପ୍ରାଣ ହରାଇଥିଲେ। ଏହା ପରେ ଶିଳ୍ପୀଙ୍କୁ ସନ୍ତୋଷ ଦ୍ଵିତୀୟ ବିବାହ କରିଥିଲେ। ବିବାହ ପରେ ସନ୍ତୋଷ, ତାଙ୍କ ପୁଅ ଏବଂ ଶିଳ୍ପୀ ଏକାଠି ରହୁଥିଲେ।

ଗୋଟିଏ ପଟେ ସାବତ ପୁଅକୁ ଶିଳ୍ପୀ ବହୁତ ଭଲ ପାଉଥିଲେ ବୋଲି ଶିଳ୍ପୀଙ୍କ ପରିବାର ଲୋକେ ଦାବି କରୁଥିବାବେଳେ ସନ୍ତୋଷଙ୍କ ପରିବାର ଲୋକ କିନ୍ତୁ ଭିନ୍ନ କଥା କହୁଛନ୍ତି। ତେବେ ଶିଳ୍ପୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ କାହିଁକି ଗ୍ରହଣ କଲେ ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ।

Tags: #Death #Murder #Suicide #UnnaturalDeath #ShilpiKuntia #SantosKhuntia #Cuttack

Comment