ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟରେ ଅନୁଷ୍ଠିତ ହୋଇଛି ଚଳିତ ବର୍ଷର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି। ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍ ବୃଦ୍ଧି କରାଯାଇଛି। ପିଛିଲା ଭାବେ ଏହା ୨୦୨୨ ମସିହା ଜାନୁଆରି ପହିଲାରୁ ଲାଗୁ ହେବ।

ସେହିପରି ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଯାଜପୁର ଜିଲ୍ଲାର ବରୀ ଏବଂ କୋରେଇ ବ୍ଲକରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି।

ଏହା ସହିତ ନୟାଗଡ଼ ଜିଲ୍ଲାର ଦଶପଲା, ଗଣିଆ ଓ ନୂଆଗାଁରେ ୩ଟି ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେବ। ମାଲକାନଗିରି ଲାଗି ୪ଟି ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଖଇରିପୁଟ, ମାଲକାନଗିରି, ମାଥିଲି ଏବଂ କାଲିମେଳାରେ ଏହି ପ୍ରକଳ୍ପ ନିର୍ମାଣ ହେବ। ସେହିଭଳି ବିଏସଏସସିସିଆରଆଇର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି।

ଏହା ସହିତ ଓବିସି କମିଶନ ଆଇନରେ ସଂଶୋଧନ କରାଯିବାକୁ ଅନୁମତି ମିଳିଛି। ଅନ୍ୟପକ୍ଷରେ ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ବ୍ରିଜ ନିର୍ମାଣ କରାଯିବ। ଏଥିପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି। ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଏବଂ ସେବାସର୍ତ୍ତରେ ସଂଶୋଧନ ହୋଇଛି। ଜିଏସଟି, ବାଣିଜ୍ୟ କର ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ କରାଯାଇଛି।

ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି। ଓଏସଜେଏସ ଓ ଓଜେଏସ ସେବା ଅଧିନିୟମରେ ସଂଶୋଧନ ହୋଇଛି। ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ମଧ୍ୟ ସଂଶୋଧନ କରାଯାଇଛି।

Tags: #CabinetMeeting #StateCabinet #CMOdisha #NaveenPatnaik #Proposals

Comment