ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପୋଲିସ୍‌ ଏଏସଆଇଙ୍କ ଗୁଳିମାଡ଼ରେ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ରାଜନୀତି କରିଡ଼ରରେ ସୃଷ୍ଟି କଲା ଅନେକ ପ୍ରଶ୍ନ।

ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା, ବରିଷ୍ଠ ରାଜନେତା ତଥା ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି। ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ ଏଏସଆଇ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଗୁଳି ମାରିବା ଘଟଣା ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ବ୍ରଜରାଜନଗର ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ନବ ଦାସଙ୍କୁ କାହିଁକି ସଫା କରିଦେଲେ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ହିଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ହତ୍ୟାକାଣ୍ଡର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ରେ ପହଞ୍ଚି ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେରା କରୁଛନ୍ତି। ତଦନ୍ତ ପରେ ଏହି ଘଟଣା ଉପରୁ ପରଦା ହଟିବ ବୋଲି କୁହାଯାଉଛି।

ନବ ଦାସଙ୍କ ହତ୍ୟା – ଅନେକ ପ୍ରଶ୍ନ?

ଜଣେ ପୋଲିସ ଅଧିକାରୀ ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଦିନ ଦିପହରେ ସର୍ବସାଧାରଣ ସ୍ଥାନରେ ଗୁଳି କରିବା ଘଟଣାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ନେଇ ଲୋକଙ୍କ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ଏଏସଆଇ ଗୋପାଳ ଦାସଙ୍କ ସହିତ ନବଙ୍କର କ’ଣ ସମ୍ପର୍କ ଥିଲା? ଉଭୟଙ୍କ ଭିତରେ କିଛି ପୂର୍ବ ଶତ୍ରୁତା ଥିଲା କି? ମାନସିକ ଚାପରେ ଥାଇ ଗୋପାଳ ଏଭଳି କାଣ୍ଡ ଘଟାଇଥିଲେ କି? ଯେତେବେଳେ ଗୋପାଳ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇଲେ ସେତେବେଳେ ଅନ୍ୟ ପୋଲିସ ଅଧିକାରୀ ଏବଂ କର୍ମଚାରୀ କେଉଁଠି ଥିଲେ? ଏମିତି ଅନେକ ଅସମାହିତ ପ୍ରଶ୍ନ ଝାରସୁଗୁଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲୋକଙ୍କ ଭିତରେ ସୃଷ୍ଟି ହୋଇଛି।

ନବ ଦାସ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ। ସମ୍ବଲପୁରରୁ ବଲାଙ୍ଗୀର ପର୍ଯ୍ୟନ୍ତ ତାଙ୍କ ଭଲ ପ୍ରଭାବ ରହିଥିଲା। ତା’ଛଡ଼ା ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟ ମଧ୍ୟ ବହୁତ ଲମ୍ବା ଥିଲା। ତେଣୁ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ କିମ୍ବା ବ୍ୟବସାୟିକ ଶତ୍ରୁତା ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଆଉ କେହି ବ୍ୟକ୍ତିଗତ ଆକ୍ରୋଶକୁ ମଧ୍ୟ ଦାୟୀ କରୁଛନ୍ତି। ତେବେ ଏସବୁ ପ୍ରଶ୍ନର ଉତ୍ତର କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇପାରିବ।

କେଉଁଠି ଥିଲେ ପିଏସଓ?

ମନ୍ତ୍ରୀମାନଙ୍କ ସୁରକ୍ଷା ଦାୟିତ୍ୱରେ ଜଣେ ଜଣେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ସରକାର ନିୟୋଜିତ କରିଛନ୍ତି। ସେମାନେ ମନ୍ତ୍ରୀଙ୍କ ପାଖେ ପାଖେ ସବୁବେଳେ ରହିଥା’ନ୍ତି। ହେଲେ ବ୍ରଜରାଜନଗରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ବେଳେ ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ କ’ଣ କରୁଥିଲେ ବୋଲି ପ୍ରଶ୍ନ ଉଠିଛି।

ଯେତେବେଳେ ନବଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ସେତେବେଳେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ କାହିଁକି କୌଣସି ପଦକ୍ଷେପ ନେଲେ ନାହିଁ? ତେଣୁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିବା ଲାଗି ଦାବି ହେଉଛି।

ଏପଟେ ଅଭିଯୁକ୍ତ ଗୋପାଳ ଦାସଙ୍କ ସ୍ତ୍ରୀ ଏବଂ ପୁଅଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢ଼ିଛି। ସେମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ଗତ କିଛି ମାସ ହେଲା ଗୋପାଳ ମାନସିକ ଚାପରେ ରହିଥିଲେ। ତାଙ୍କୁ ଛୁଟିରେ ନେବା ପାଇଁ ପରିବାର ଲୋକ ଚାହିଁଥିଲେ। ହେଲେ ଛୁଟି ମିଳି ନଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଯଦି ଏକଥା ସତ ହୋଇଥାଏ ତାହାଲେ ସାଂଘାତିକ। ମାନସିକ ଚାପରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ବନ୍ଧୁକ କିଏ ଏବଂ କାହିଁକି ଦେଇଥିଲେ ତାହା ମଧ୍ୟ ତଦନ୍ତ ହେବା ଦରକାର।

ନବ ଦାସ – କ୍ଷମତାଶାଳୀ ନେତା

ରାଜ୍ୟ ରାଜନୀତିରେ ଜଣେ କ୍ଷମତାଶାଳୀ ନେତା ଭାବେ ବେଶ୍‌ ପରିଚୟ ପାଇଥିଲେ ନବ ଦାସ। ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିରେ ଯୋଗଦେଇ ନବ ବିଶେଷ ସଫଳତା ହାସଲ କରିଥିଲେ। ୨୦୦୯ ଏବଂ ୨୦୧୪ରେ ନବ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ୪୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ବିଜେଡିର ପଞ୍ଚମ ପାଳି ସରକାରରେ ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମିଳିଥିଲା।

ଗତ କିଛି ମାସ ତଳେ ବ୍ରଜରାଜନଗର ଏବଂ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ନବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା।

ବ୍ୟବସାୟିକ ସାମ୍ରାଜ୍ୟ

ବସ୍‌ ମାଲିକ ଭାବେ ବ୍ୟବସାୟିକ ଜୀବନ ଆରମ୍ଭ କରିଥିଲେ ନବ ଦାସ। ଏହାପରେ ଯେତେବେଳେ ଝାରସୁଗୁଡ଼ାରେ ଶିଳ୍ପ ବିକାଶ ହୋଇଥିଲା ସେତେବେଳେ ନବଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଆଗକୁ ବଢ଼ିଥିଲା। ଟ୍ରାନ୍ସପୋର୍ଟ, ରିୟଲଇଷ୍ଟେଟ୍‌ ଏବଂ ହୋଟେଲ ଶିଳ୍ପରେ ପ୍ରବେଶ କରି ନବ ସଫଳ ହୋଇଥିଲେ। ସମ୍ବଲପୁର-ଝାରସୁଗୁଡ଼ା ଶିଳ୍ପାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ନବ ଏବଂ ତାଙ୍କ ପରିବାର ବର୍ଗ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପରିଚାଳନା କରୁଥିଲେ। ନବୀନଙ୍କ କ୍ୟାବିନେଟରେ ଧନୀ ମନ୍ତ୍ରୀ ତାଲିକାରେ ନବ ସବୁଠୁ ଆଗରେ ରହିଥିଲେ।

ଝାରସୁଗୁଡ଼ା ଜିଲ୍ଲାର ରାଜନୀତି ଆଗକୁ କେଉଁ ମୋଡ଼ ନେବ?

ଏଇ ବର୍ଷକ ଭିତରେ ଝାରସୁଗୁଡ଼ା ଜିଲ୍ଲା ଦୁଇ ଦୁଇ ଜଣ ବରିଷ୍ଠ ନେତାଙ୍କୁ ହରାଇଛି। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତି  ଏବଂ ଏବେ ନବ ଦାସଙ୍କ ମୃତ୍ୟୁ ଜିଲ୍ଲା ରାଜନୀତିରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।

କିଶୋରଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ଅଳକା ମହାନ୍ତି ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ଝାରସୁଗୁଡ଼ାରେ ନବଙ୍କ ଜାଗା କିଏ ନେବ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

ନବ ତାଙ୍କ ଝିଅ ଦୀପାଳି ଦାସଙ୍କୁ ସକ୍ରିୟ ରାଜନୀତିରେ ଆଣିବାକୁ ଚାହୁଁଥିଲେ। ତେଣୁ ନବଙ୍କ ସହିତ ଦୀପାଳିଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା। ଏପରିକି ବ୍ରଜରାଜନଗର ଏବଂ ପଦ୍ମପୁର ଉପନିର୍ବାଚନ ବେଳେ ଦୀପାଳି ପ୍ରଚାର ମଧ୍ୟ କରୁଥିଲେ। ଆଗାମୀ ଦିନରେ ନବଙ୍କ ଝିଅ ଦୀପାଳି ଝାରସୁଗୁଡ଼ା ରାଜନୀତିର ମଙ୍ଗ ଧରିପାରନ୍ତି ବୋଲି ଆଲୋଚନା ହେଉଛି।

#NabaDas #NabaKishoreDas #BJD #BijuJanataDal #NaveenPatnaik #OdishaPolitics

Comment