ଓଡ଼ିଶାଲାଇଭ୍ ବ୍ୟୁରୋ

  • “୨୦୪୭ ସୁଦ୍ଧା ଆମେ ଏକ ସ୍ଵର୍ଣ୍ଣିମ ଭାରତ ଗଢ଼ିବା”
  • “ଭାରତର ଗଣତନ୍ତ୍ର ସମୃଦ୍ଧ ଥିଲା ଏବଂ ଭବିଷ୍ୟତରେ ଆହୁରି ଶକ୍ତିଶାଳୀ ହେବ”- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
  • ବୁଧବାର ଲୋକସଭାରେ ଆଗତ ହେବ ବଜେଟ୍।

ଆରମ୍ଭ ହୋଇଛି ଭାରତୀୟ ସଂସଦର ବଜେଟ୍ ଅଧିବେଶନ। ମଙ୍ଗଳବାର ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଲରେ ବଜେଟ୍ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି।

“ସଂସଦ ହେଉଛି ଆମ ଗଣତନ୍ତ୍ରର ହୃଦୟ। ଏହି ସଂସଦରେ ଆମ ଦେଶର ପାଇଁ ଲକ୍ଷ୍ୟ ସ୍ଥିର କରିବା ଏବଂ ସେଗୁଡ଼ିକୁ ହାସଲ କରିବା ପାଇଁ ଅଧିକ ପ୍ରୟାସ ହେବା ଆବଶ୍ୟକ। ଆମକୁ ଏପରି ଏକ ଭାରତର ଗଠନ କରିବାକୁ ହେବ, ଯେଉଁଥିରେ ଅତୀତର ଗୌରବ ଥିବ କିନ୍ତୁ ଦାରିଦ୍ର୍ୟ ନ ଥିବ। ଯୁବକମାନେ ସମୟଠାରୁ ଦୁଇ ପାଦ ଆଗରେ ଥିବେ। ୨୦୪୭ ସୁଦ୍ଧା ଏକ ସ୍ଵର୍ଣ୍ଣିମ ଭାରତ ଗଢ଼ିବାର ଅଛି”, କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି,”ଆଜି ଭାରତ ସରକାର ଦାରିଦ୍ର୍ୟର ସ୍ଥାୟୀ ସମାଧାନ ଏବଂ ପଛୁଆ ବର୍ଗଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛନ୍ତି। ସରକାର ଜନ କଲ୍ୟାଣକୁ ପ୍ରାଧାନ୍ୟ ଦେବା ସହ ପ୍ରକୃତିର ଯତ୍ନ ନେଉଛନ୍ତି ଏବଂ ଦେଶର ଐତିହ୍ୟକୁ ମଧ୍ୟ ରକ୍ଷା କରୁଛନ୍ତି। ଭାରତର ଗଣତନ୍ତ୍ର ଆଗରୁ ସମୃଦ୍ଧ ଥିଲା ଏବଂ ଭବିଷ୍ୟତରେ ଆହୁରି ଶକ୍ତିଶାଳୀ ହେବ।”

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି,”ଆଜି ଆୟୁଷ୍ମାନ ଭାରତ ଯୋଜନାରେ ୫୦ କୋଟିରୁ ଅଧିକ ଦେଶବାସୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ୧୧ କୋଟି କ୍ଷୁଦ୍ର କୃଷକଙ୍କୁ ସଶକ୍ତ ଏବଂ ସମୃଦ୍ଧ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ଭାରତରେ ଆଧୁନିକ ଭିତ୍ତିଭୂମି ଯାହା ଆମେ ପୂର୍ବରୁ ଚାହୁଁଥିଲୁ, ଆଜି ତାର ନିର୍ମାଣ କାର୍ଯ୍ୟ ଚାଲିଛି। ଆଜି ଭାରତରେ ଏଭଳି ଏକ ଡିଜିଟାଲ ନେଟୱାର୍କ ସୃଷ୍ଟି ହୋଇଛି, ଯେଉଁଥିରୁ ସମଗ୍ର ବିଶ୍ୱ ପ୍ରେରଣା ନେଉଛି। ସେଥିପାଇଁ ଆମେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛୁ।”

ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ। ୨୦୨୪ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବାକୁ ଯାଉଛି। ବଜେଟ୍  ଅଧିବେଶନ ଜାନୁଆରି ୩୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ବଜେଟ୍ ଆଗତ ହେବା ପୂର୍ବରୁ ବର୍ଷ ୨୦୨୨-୨୩ ପାଇଁ ଭାରତର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି।

୨୦୨୩ର ବଜେଟ୍ ଅଧିବେଶନରେ ସରକାର ବଜେଟ୍ ସମେତ ୩୬ଟି ବିଲ୍ ଆଣିବା ପାଇଁ ଯୋଜନା ରଖିଛନ୍ତି। ଏହି ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୪ ତାରିଖ ଯାଏଁ ଚାଲିବ। ଏହାପରେ ମାର୍ଚ୍ଚ ୧୨ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ବୁଧବାର ବଜେଟ୍ ଆଗତ ହେବାପରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଚାଲିବ। ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟରେ ସରକାର ବିଭିନ୍ନ ବିଲ୍ ଆଣିବେ।

ମଙ୍ଗଳବାର ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତିଙ୍କ ବ୍ୟତୀତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ସଭାକୁ ସମ୍ବୋଧିତ କରିଥିଲେ। ସଂସଦର ଉଭୟ ସଦନର ସଦସ୍ୟମାନେ ଏଠାରେ ଉପସ୍ଥିତ ଥିଲେ।

Tags: #UnionBudget2023 #ParliamentBudgetSession #PresidentofIndia #DroupadiMurmu #FinanaceMinister #NirmalaSitharaman #FinancialYear2023/24

Comment