ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ରେଳବାଇ କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏହି କ୍ଷେତ୍ର ପାଇଁ ଚଳିତ ବଜେଟରେ ୨.୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରେଳବାଇ କ୍ଷେତ୍ର ଲାଗି ଏହା ସବୁଠୁ ବଡ଼ ବଜେଟ ବୋଲି କୁହାଯାଉଛି। ୨୦୧୩-୧୪ ତୁଳନାରେ ଏହି ଅର୍ଥ ୯ ଗୁଣ ଅଧିକ ବୋଲି ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ରେଳବାଇ କ୍ଷେତ୍ର ଲାଗି ୧.୪୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେହିପରି ୨୦୨୧-୨୨ ବର୍ଷରେ ୧.୧୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା।

‘‘୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କେନ୍ଦ୍ର ସରକାର ରେଳବାଇ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ରେଳ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ ଯାତ୍ରୀମାନେ କିପରି ସୁବିଧାରେ ଟ୍ରେନରେ ଯାତାୟତ କରିପାରିବେ ତା’ଉପରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି’’, କହିଛନ୍ତି ନିର୍ମଳା ସୀତା ରମଣ।

୨୦୨୨-୨୩ ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ସରକାର ଆସନ୍ତା ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବା ପାଇଁ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ୮ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି।

ଆଗାମୀ ଦିନରେ ବନ୍ଦେ ଭାରତ ଟ୍ରେନ ଅଧିକ ଚଳାଚଳ କରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଅଧିକ ସଂଖ୍ୟାରେ ଏହି ଟ୍ରେନ ଚଳାଚଳ କରିବା ଫଳରେ ଯାତ୍ରୀମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ।

Comment