ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି। ଫେବ୍ରୁଆରି ୩ ତାରିଖରେ ବିକ୍ରମ ଦେବ ମହାବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବା ପୂର୍ବରୁ ଗୁରୁବାର ଦିନ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି।

ଆସନ୍ତା ୩ ତାରିଖରେ ବିକ୍ରମ ଦେବ ମହାବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିକ୍ରମ ଦେବ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବାକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ତଥା ବିଭିନ୍ନ ବର୍ଗରୁ ବାରମ୍ବାର ଦାବି ହୋଇଆସୁଥିଲା। ବିଭିନ୍ନ ଅନୁଷ୍ଠାନ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହନୀପତି ଦାବି କରିଆସୁଥିଲେ। ବିଧାୟକ ତାରା ପ୍ରସାଦ ବାହିନୀପତି ଏ ନେଇ ବିଧାନସଭାରେ ବାରମ୍ବାର ଦାବି ଉଠାଇବା ସହ ଚିଠି ଲେଖି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅବିଭକ୍ତ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ପ୍ରାୟ ୨୫ ଏକର ଜମିରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ମହାବିଦ୍ୟାଳୟ ପ୍ରତିଷ୍ଠାକୁ ୭୫ ବର୍ଷ ବିତିଥିଲେ ମଧ୍ୟ ଜିଲ୍ଲା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉନ୍ନତି କରି ପାରିନଥିଲା। ବାରମ୍ବାର ଦାବି ପରେ ରାଜ୍ୟ ସରକାର ଆଜି ଜୟପୁର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିବାରୁ ଜିଲ୍ଲାବାସୀଙ୍କ ଖୁସି କହିଲେ ନସରେ।

ବର୍ତ୍ତମାନ ବିକ୍ରମ ଦେବ ମହାବିଦ୍ୟାଳୟରେ ୧୬ଟି ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମ, ୧୭ଟି ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ ସହିତ ବିବିଏ, ବିସିଏ ଓ ବିଇଡି ପାଠ୍ୟକ୍ରମ ଜାରି ରହିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି।

କୋରାପୁଟରେ ନୂଆ ବିଶ୍ଵବିଦ୍ୟାଳୟ ହେବା ଦ୍ୱାରା କୋରାପୁଟ ସମେତ ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଦକ୍ଷିଣ ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହି ବିଶ୍ଵବିଦ୍ୟାଳୟ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ କଲେଜରେ ଉତ୍ସବ ପାଳନ କରାଯାଇଛି। ଦୀର୍ଘ ବର୍ଷର ଦାବି ପୂରଣ ହୋଇଥିବାରୁ ବିଧାୟକ ତାରା ବାହିନୀପତି ଖୁସି ବ୍ୟକ୍ତ କରିବା ସହ ଏହା ଦ୍ଵାରା କୋରାପୁଟ ଜିଲ୍ଲା ସହ ଅନ୍ୟ ଜିଲ୍ଲାର ଛାତ୍ରଛାତ୍ରୀ ବିଶେଷ ଉପକୃତ ହୋଇପାରିବେ ବୋଲି କହିଛନ୍ତି।

Tags: #Koraput #Jeypure #BikramDevCollege #University #CMOdisha #NaveenPatnaik #TaraPrasadBahinipati

LEAVE A REPLY

Please enter your comment!
Please enter your name here