ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜୟପୁର ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • କଲେଜରେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ ପାଇଁ ଖର୍ଚ୍ଚ ହେବ ୮ କୋଟି ଟଙ୍କା
  • କୋରାପୁଟ ଜିଲ୍ଲା ପାଇଁ ୧,୬୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ
  • ୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ

କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବରେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ମହାବିଦ୍ୟାଳୟରେ ଏକ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିୟ ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ଏହି ଅଡିଟୋରିୟମ ପାଇଁ ଖର୍ଚ୍ଚ ହେବ ୮ କୋଟି ଟଙ୍କା। ଗୁରୁବାର ଦିନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର।

ଶିକ୍ଷା ହିଁ ନୂତନ ସମ୍ଭାବନା ସୃଷ୍ଟି କରିଥାଏ। ଭଲ ପାଠପଢ଼ି ନିଜର ତଥା ବାପା ମା’ଙ୍କର ସ୍ଵପ୍ନ ପୂରଣ କରିବା ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମଖ୍ୟମନ୍ତ୍ରୀ କହିଥିଲେ ଯେ, କୋରାପୁଟ ଜିଲ୍ଲାର ବିକାଶ ପାଇଁ ସରକାର ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ। ଗୁରୁପ୍ରିୟା ସେତୁ ଆଜି ସ୍ଵାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କୋରାପୁଟ ଜିଲ୍ଲା ପାଇଁ ୧,୫୯୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବାବେଳେ ୧୩୭୮.୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ସେତୁ, ସଡ଼କ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତିକରଣ ଓ ପର୍ଯ୍ୟଟନ ଆଦି ପ୍ରକଳ୍ପ କାମ କରାଯାଇଛି।

ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲ ଯେ, ମା’ମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ସ୍ଵାଧୀନତାର ୭୫ ବର୍ଷ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରି ସେମାନେ ନିଜର ଦକ୍ଷତା ଦେଖାଇ ସେମାନଙ୍କ ଉପରେ ଥିବା ଆମର ବିଶ୍ଵାସକୁ ଆହୁରି ମଜବୁତ କରିଛନ୍ତି। ମା’ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହେଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ସବୁ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନରେ ପରିଣତ କରିବାକୁ କାମ ଆରମ୍ଭ ହୋଇଛି ଏବଂ ଏଥିପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ। ମା’ମାନଙ୍କ ପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଚିକିତ୍ସା ସୁବିଧା ଦିଆଯାଉଛି ବୋଲି ସେ ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଜିଲ୍ଲାର ୧,୨୩୫ଟି ମିଶନ ଶକ୍ତି ଗୋଷ୍ଠୀକୁ ୫୦ କୋଟି ଟଙ୍କାର ସୁଧ ବିହୀନ ଋଣ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କୋରାପୁଟ ପର୍ଯ୍ୟଟନ ଉପରେ ଆଧାରିତ ଏକ ସ୍ଵତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚନ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ବିକ୍ରମ ଦେବ କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଓଡ଼ିଶାର କାଶ୍ମିର ବୋଲି କହିଲେ କିଛି ଭୁଲ ହେବ ନାହିଁ। ତେଣୁ ରାଜ୍ୟ ସରକାର ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହ ବିକ୍ରମ ଦେବ କଲେଜରେ ଇଣ୍ଟିଗ୍ରେଟେଟ ବିଇଡ, କୃଷି ବିଶ୍ଵବିଦ୍ୟାଳୟ ଆଜି ଖୋଲିବା ସହ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ସେ ଦାବି କରିଥିଲେ। ଏହି ଅବସରରେ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ଓ କଲେଜର ସ୍ମରଣୀକା ଉନ୍ମୋଚନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଦିନ ସ୍ଵତନ୍ତ୍ର ବିମାନ ଯୋଗେ ଜୟପୁର ଏୟାରପୋର୍ଟରେ ପହଞ୍ଚି ସେଠାରୁ ହେଲିକପ୍ଟରେରେ ଜୟପୁର ଦଶହରା ପଡ଼ିଆଠାରେ ପହଞ୍ଚି କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପାଡ଼ାଲ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲ୍ଲେକା, କଲେଜ ଅଧ୍ୟକ୍ଷ ଗୋପାଳ ହଲଦର୍ ଏବଂ କୋରାପୁଟ ସ୍ଵତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ବିଶ୍ଵବିଦ୍ୟାଳୟ ଘୋଷଣାକୁ ସ୍ଵାଗତ କରିଥିଲେ। ଏହାଦ୍ଵରା କୋରାପୁଟ ଜିଲ୍ଲା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଯୋଗ ସୃଷ୍ଟି ହେବ ବୋଲି ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ୧୨ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ। କଲେଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Tags: #CMOdisha #BikramDevCollege #NaveenPatnaik #Jeypure #PlatinumJubilee

Comment