ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ଆଜି ୯ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀଙ୍କ ହତ୍ୟା ପଛର କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଚ। ଏହାରି ମଧ୍ୟରେ ନବ ଦାସଙ୍କ ହତ୍ୟା ପଛରେ ଉପକୂଳର ଟାଣୁଆ ନେତାଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି ବିରୋଧୀ।

ନବ ଦାସଙ୍କ ହତ୍ୟାକାଣ୍ଡକୁ ୯ ଦିନ ପୂରିଲାଣି। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟି ପାରୁନି। ଏହାରି ଭିତରେ ବିରୋଧୀ ବିଜେପି ଏବଂ କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ନବଙ୍କ ହତ୍ୟାକାଣ୍ଡ ପଛରେ ଉପକୂଳ ଅଞ୍ଚଳର ପ୍ରଭାବଶାଳୀ ନେତାଙ୍କ ହାତ ରହିଥିବା ଏହି ଦୁଇ ଦଳର ନେତା ଅଭିଯୋଗ କରିଛନ୍ତି।

ନବ ଦାସଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତାଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଆଣିଛନ୍ତି ସଂଗୀନ ଅଭିଯୋଗ। ସେ କହିଛନ୍ତି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ନିଜ ଦଳର ନେତାଙ୍କ ସମ୍ପୃକ୍ତି ଥାଇପାରେ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି, ନିଶ୍ଚିତ ଭାବେ ହତ୍ୟା ପଛର କାରଣ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ।

ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତାଙ୍କ ହାତ – ସୁବାସ ପାଣିଗ୍ରାହୀ

“ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯିବା ପଛରେ ପଶ୍ଚିମ ଓଡ଼ିଶାର କୌଣସି ନେତାଙ୍କର ସମ୍ପୃକ୍ତି ନାହିଁ। ତାଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତାଙ୍କର ହାତ ରହିଛି। ଉଭୟ ରାଜନୈତିକ ଏବଂ ବ୍ୟବସାୟିକ କାରଣରୁ ଏହି ହତ୍ୟା ହୋଇଛି। ନବଙ୍କ ସାମ୍ରାଜ୍ୟ ଅକ୍ତିଆର କରିବାକୁ ଷଡ଼ଯନ୍ତ୍ର କରି ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଛି,” କହିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ।

ସୁବାସ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି ଯେ, ନବ ଦାସ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ହେବା ସହ ତାଙ୍କର ବଡ଼ ବ୍ୟବସାୟିକ ସାମ୍ରାଜ୍ୟ ରହିଛି। ଓଡ଼ିଶାର ଅନେକ ନେତାଙ୍କର ଖଣି ବ୍ୟବସାୟ ଅଛି। ଖଣି ଟଙ୍କା ନିର୍ବାଚନରେ ଲାଗେ। ନବ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଶେଷ କରି ସେହି ସ୍ଥାନ ଅକ୍ତିଆର କରି ସେଠାରୁ ଟଙ୍କା ଆଦାୟ କରିବାକୁ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି କହିଛନ୍ତି ସୁବାସ ପାଣିଗ୍ରାହୀ। ନବ ଦାସଙ୍କ ହତ୍ୟା ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତି, ରାଜନେତା ଏବଂ ବ୍ୟବସାୟୀଙ୍କ ସମ୍ପୃକ୍ତି ରହିଛି। ଗିରଫ ହୋଇଥିବା ଗୋପାଳ ଦାସ କେବଳ ମାତ୍ର ମୋହରା ସାଜିଥିଲେ, ସିବିଆଇ ତଦନ୍ତ କରାଗଲେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଉପରୁ ପରଦା ହଟିପାରିବ ବୋଲି ସେ କହିଛନ୍ତି।

ସିବିଆଇ ତଦନ୍ତ ହେଉ – ସନ୍ତୋଷ ସିଂ ସାଲୁଜା

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା କୌଣସି ସାଧାରଣ କଥା ନୁହେଁ। ରାଜ୍ୟର ଜଣେ ପ୍ରଭାବଶାଳୀ ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଗଲା। ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ଗୁଳି କଲେ। ଏହା ଭିତରେ ଅନେକ ରହସ୍ୟ ରହିଛି। ଗୋପାଳକୃଷ୍ଣ ଦାସଙ୍କୁ ମୋହରା ବନାଇ ନବ ଦାସଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ବହୁ ବଡ଼ ବଡ଼ ଲୋକଙ୍କର ହାତ ରହିଥିବା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ନବ ଦାସଙ୍କ ପ୍ରକୃତ ହତ୍ୟାକାରୀକୁ ଧରି ପାରିବେ ନାହିଁ। କଂଗ୍ରେସ ଏସଆଇଟି ତଦନ୍ତ ଦାବି କରିଥିବାବେଳେ ରାଜ୍ୟ ସରକାର କେବଳ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଘୋଷଣା କରିଦେଲେ। ଏହା ଏକ ହାଇପ୍ରୋଫାଇଲ ହତ୍ୟା ଘଟଣା ହୋଇଥିବାରୁ ତଦନ୍ତ ଭାର ସିବିଆଇକୁ ଦିଆଗଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିପାରନ୍ତା।

Tags: #Politics #OdishaPolitics #NabaKishorDas #Murder #BJD #BJP #Congress #SantoshSinghSaluja #SubashPanigrahi

Comment