ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସାଇଟି କିମ୍ବା ଆପାର୍ଟମେଣ୍ଟରେ ଥିବା ସାଧାରଣ ସ୍ଥାନ ବା କମନ ଏରିଆ ଉପରେ କେବଳ ସେଠାରେ ରହୁଥିବା ଲୋକମାନଙ୍କ ଅଧିକାର ରହିବ। ଆପାର୍ଟମେଣ୍ଟ ତିଆରି କରିଥିବା ସଂସ୍ଥା କିମ୍ବା ବିଲ୍ଡରଙ୍କ ଏହା ଉପରେ କୌଣସି ଅଧିକର ରହିବା ନାହିଁ। ବିଲ୍ଡିଂ ତିଆରି ହୋଇସାରିବା ପରେ ବିଲ୍ଡର ସେଠାରେ ଆଉ କିଛି ନିର୍ମାଣ କରିପାରିବେ ନାହିଁ। ଏହି କମନ ଏରିଆକୁ ଫ୍ଲାଟ୍ ମାଲିକମାନଙ୍କୁ ହସ୍ତାନ୍ତର କରିବା ପାଇଁ ରାୟ ଦେଇଛନ୍ତି ମାଡ୍ରାସ୍ ହାଇକୋର୍ଟ।

“ବିଲ୍ଡିଂର ଜମିକୁ କମନ ଏରିଆ ଭାବେ ଦର୍ଶାଇବା ଏବଂ ସେଠାରେ ସାଧାରଣ ସୁବିଧା ବିକଶିତ ହେବା ପରେ ଏହା ଉପରେ ଫ୍ଲାଟ ମାଲିକମାନଙ୍କ ଅଧିକାର ରହିବ। ଯଦି ଏହି ଜମି ମାପରେ କିଛି ତ୍ରୁଟି ଥାଏ, ତେବେ ବିଲ୍ଡରମାନେ ଏହାର ଫାଇଦା ଉଠାଇ ପାରିବେ ନାହିଁ ଏବଂ ସେମାନଙ୍କୁ ଏହି ତ୍ରୁଟି ସଂଶୋଧନ କରିବାକୁ ପଡ଼ିବ”,କହିଛନ୍ତି ମାଡ୍ରାସ୍ ହାଇକୋର୍ଟ।

ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି,”କୌଣସି ଆପାର୍ଟମେଣ୍ଟ ବା ବିଲ୍ଡିଂର କମନ ଏରିଆ ବିକ୍ରୟ ଯୋଗ୍ୟ ନୁହେଁ। ଯଦି ଏହାକୁ ବିଲ୍ଡର ବିକ୍ରୟ କରନ୍ତି ତେବେ ଏହା ଦିଆଯାଇଥିବା ଯୋଜନା ଅନୁମତିର ଉଲ୍ଲଂଘନ ଅଟେ।”

ଚେନ୍ନାଇର ଆଲୱାରପେଟ ଅଞ୍ଚଳରେ ବିକଶିତ ଏକ ଆପାର୍ଟମେଣ୍ଟର ସାଧାରଣ ଅଞ୍ଚଳରେ ନିର୍ମିତ ଏକ କୋଠାର ମାଲିକାନା ସମ୍ବନ୍ଧୀୟ ମାମଲାର ଶୁଣାଣି କରି ମାଡ୍ରାସ୍ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ମାଡ୍ରାସ୍ ହାଇକୋର୍ଟର ଜଷ୍ଟିସ ଆର ସୁବ୍ରମଣ୍ୟୟମ ଏବଂ ଜଷ୍ଟିସ କେ କୁମାରେଶ ବାବୁ ବିଲ୍ଡର ଆସୋସିଏନର ଆବେଦନକୁ ଖାରଜ କରି ସମ୍ପୃକ୍ତ ସାଧରଣ ଅଞ୍ଚଳକୁ ଫ୍ଲାଟ ମାଲିକମାନଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ୩ ମାସ ଭିତରେ ଏହି ସବୁ କାର୍ଯ୍ୟକୁ ସାରିବାକୁ କହିଛନ୍ତି ଏବଂ ଚେନ୍ନାଇ ମହାନଗର ନିଗମକୁ ଏହି କାର୍ଯ୍ୟକୁ ତଦାରଖ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୧ ମସିହାରେ ରାମଣୀୟମ ରିୟଲ ଇଷ୍ଟେଟ୍ କମ୍ପାନି ଚେନ୍ନାଇର ଆଲୱାରପେଟରେ ୭୭ଟି ଫ୍ଲାଟ ନିର୍ମାଣ କରିଥିଲା। ଏଠାରେ ଥିବା ପ୍ରାୟ ୨ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଏକ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲା। ଫ୍ଲାଟ ନିର୍ମାଣ ସମୟରେ ଏହି ସ୍ଥାନକୁ କମ୍ପାନି କମନ ଏରିଆ ଭାବେ ଦର୍ଶାଇଥିବାବେଳେ ପରେ ଏଠାରେ ଏକ କୋଠା ନିର୍ମାଣ କରି ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲା।

ଏହାକୁ କେନ୍ଦ୍ରକରି ଫ୍ଲାଟ ମାଲିକମାନେ ମାଡ୍ରାସ୍ ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ। ଏହାପରେ ବିଲ୍ଡର ସଂଘ ମଧ୍ୟ ଫ୍ଲାଟ ମାଲିକମାନଙ୍କ ଆବେଦନକୁ ବିରୋଧ କରି ହାଇକୋର୍ଟ ଆଉ ଏକ ଆବେଦନ କରିଥିଲେ।

Tags: #MadrasHighCourt #Verdict #CommonAreaofBuilding #Chennai #India

LEAVE A REPLY

Please enter your comment!
Please enter your name here