ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦ୍ଵିତୀୟ ଦିନରେ ବି ସୁରୁଖୁରୁରେ ଚାଲି ପାରିଲାନି ଗୃହ କାର୍ଯ୍ୟ
  • ବିରୋଧୀଙ୍କ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବୀ

ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ। ବିଜେଟ ଅଧିବେଶନର ଦ୍ଵିତୀୟ ଦିନରେ ମଧ୍ୟ ଗୃହରେ ହଟ୍ଟଗୋଳ ଦେଖା ଦେଇଥିଲା। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ନାରାବାଜି କରିଥିଲେ।

ଗୃହରେ ଅଚଳା ବସ୍ଥା ଯୋଗୁଁ ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହେବାରୁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ ଯେ, “ଆମେ ଆମର ଜଣେ ସହଯୋଗୀଙ୍କୁ ହରାଇଲୁ। ଓଡ଼ିଶା ଜଣେ ବିଚକ୍ଷଣ ନେତାଙ୍କୁ ହରାଇଲା। ନବ ଦାସଙ୍କ ହତ୍ୟା ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ହୋଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ଵ ଦିଆଯାଇଛି। ତଦନ୍ତ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଆଇନ ଅନୁଯାୟୀ କରାଯାଉଛି।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ଜଣେ ପ୍ରଭବଶାଳୀ ନେତା ଥିଲେ ନବ ଦାସ। ଗତ ଜାନୁଆରି ୨୯ ତାରିଖରେ ଗୁଳି କରି ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇ ଜେଲରେ ଅଛନ୍ତି। ଅଭିଯୁକ୍ତ ଗୋପାଳଙ୍କର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଦେଶର ସର୍ବୋକୃଷ୍ଟ ଫରେନସିକ ଏକ୍ସପର୍ଟଙ୍କୁ ନିୟୋଜିତ କରାଯାଇଛି। ନବ ଦାସଙ୍କ ହତ୍ୟାଘଟଣାକୁ ନେଇ ଯେଉଁ ଭଳି ଭାବେ ରାଜନୀତି କରାଯାଉଛି ତାହା ତାଙ୍କୁ ସ୍ତବ୍ଧ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗୃହରେ ବିବୃତ୍ତି ରଖିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରିଥିଲେ। ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣା ଉଠାଇ ରାଜ୍ୟବାସୀ ଜୟନାରାୟଣ ମିଶ୍ରଙ୍କୁ କେବେ କ୍ଷମା ଦେବେ ନାହିଁ ବୋଲି କହିଥିଲେ। ସେ କହିଥିଲେ ଓଡ଼ିଶା ସର୍ବଦା ମହିଳାଙ୍କୁ ସମ୍ମାନ ଦେଇଆସିଛି। ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ବିତର୍କ କରିବା କିମ୍ବା ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ।

ମୁଖ୍ୟମନ୍ତ୍ରୀ କହିଥିଲେ ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଥିବା ରହସ୍ୟ ଉନ୍ମୋଚନ ହେବା ଆବଶ୍ୟକ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏହି ଅବସରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ।

Tags: #OdishaAssemblyBudgetSession #CMOdisha #NaveenPatnaik #NabaDasMurderCase

Comment