ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଗ୍ରୀଷ୍ମ ଋତୁ ଆସି ନାହିଁ, କିନ୍ତୁ ଏବେଠୁ ଦେଖା ଦେଲାଣି ଜଳର ଅଭାବ। ଦୀର୍ଘ ୪ ମାସ ହେଲା ପାନୀୟ ଜଳର ସମସ୍ୟା ଭୋଗୁଥିବା ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଉପକଣ୍ଠ ବେହେରାଗୁଡ଼ା ଗ୍ରାମବାସୀ ରାସ୍ତା ରୋକ କରି ପ୍ରତିବାଦ କରିଛନ୍ତି।

ଗ୍ରାମରେ ଉପୁଜିଥିବା ପାନୀୟ ଜଳ ସମସ୍ୟା ଦୂର କରିବା ଲାଗି ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହାର ସମାଧାନ କରାଗଲା ନାହିଁ। ଶେଷରେ ବୁଧବାର ଦିନ ଗ୍ରାମବାସୀ ବେହେରାଗୁଡ଼ା ମୁଖ୍ୟ ରାସ୍ତା ଉପରେ ଗରା, ବାଲ୍ଟି ଏବଂ ଡ୍ରମ ରଖି ପ୍ରତିବାଦ କରିଥିଲେ।

ବେହେରାଗୁଡ଼ା ଗ୍ରାମରେ ବସବାସ କରନ୍ତି ୧,୫୦୦ରୁ ଊର୍ଦ୍ଧ୍ଵ ଲୋକ। ଲୋକଙ୍କ ପାଣିର ଆବଶ୍ୟକତା ପୂରଣ କରିବା ପାଇଁ ଗାଁରେ ରହିଛି ମାତ୍ର ୩ଟି ନଳକୂଅ। ଗୋଟିଏ ଅଚଳ ହୋଇପଡ଼ିଥିବାରୁ ଦୁଇଟି ନଳକୂଅର ପାଣି ଲୋକଙ୍କୁ ଅଣ୍ଟୁ ନାହିଁ। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଶେଷରେ ଗ୍ରାମବାସୀ ମୁଖ୍ୟ ରାସ୍ତାରେ ଉପରେ ଗରା, ବାଲ୍ଟି ଏବଂ ଡ୍ରମ ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ଏଥିରେ ଗାଁର ମହିଳା, ପୁରୁଷଙ୍କ ସମେତ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ।

ରାସ୍ତା ରୋକ ପ୍ରତିବାଦ ଯୋଗୁଁ ନବରଙ୍ଗପୁରରୁ କୋଷାଗୁମୁଡ଼ାକୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଥିଲା। ଅଗ୍ନିପୁର ପଞ୍ଚାୟତର ସରପଞ୍ଚ ଦିବାକର ପୂଜାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ରୋକ ପ୍ରତିବାଦକୁ ସମର୍ଥନ କରିଥିଲେ।

ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପ୍ରଧାନ କହିଛନ୍ତି, ଗ୍ରାମରେ ୩ଟି ନଳକୂଅ ବସିବା ଲାଗି ସ୍ଥିର ହୋଇଥିଲା। ପରବର୍ତ୍ତୀ ସମୟରେ ଗ୍ରାମରେ ୩ଟି ନଳକୂଅ ବସିଥିଲା, କିନ୍ତୁ ସେଥିରୁ ଗୋଟିଏରୁ ପାଣି ବାହାରିଲା ନାହିଁ। ପରେ ନଳକୂଅ ବସାଇବାକୁ ଅନ୍ୟ ଏକ ସ୍ଥାନ ସ୍ଥିର କରାଗଲା, କିନ୍ତୁ ଚିହ୍ନଟ ସ୍ଥାନ ବେସରକାରୀ ହୋଇଥିବାରୁ ଗ୍ରାମବାସୀ ସେଠାରେ ନଳକୂଅ ବସାଇବାକୁ ବାରଣ କରିଥିଲେ। ଆଖପାଖରେ ସରକାରୀ ସ୍ଥାନ ନଥିବାରୁ ଗ୍ରାମଠାରୁ ୩ କିଲୋ ମିଟରରେ ଆଉ ଏକ ନଳକୂଅ ବସାଇବାକୁ ଯୋଜନା ହୋଇଛି। ଖୁବ ଶୀଘ୍ର ଗ୍ରାମବାସୀଙ୍କ ପାଣି ସମସ୍ୟ ଦୂର କରାଯିବ ବୋଲି ସେ କହିଛନ୍ତି।

Tags: #Nabaranpur #BeheragudaVillage #WaterProblem #Protest

Comment