ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଛି ‘ସ୍ପୋର୍ଟସ୍‌ ଷ୍ଟାର ଏସେସ’ ପୁରସ୍କାର। କ୍ରୀଡ଼ା ପତ୍ରିକା ‘ସ୍ପୋର୍ଟସ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ସୋମବାର ମୁମ୍ବାଇଠାରେ ଆୟୋଜିତ ‘ସ୍ପୋର୍ଟସ୍‌ ଷ୍ଟାର ଏସେସ-୨୦୨୩ ପୁରସ୍କାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଦ ହିନ୍ଦୁ ଗ୍ରୁପ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଦ ହିନ୍ଦୁ’ର ସଂପାଦକ ସୁରେଶ ନମ୍ବାଥ ଓ ପ୍ରସିଦ୍ଧ କ୍ରିକେଟ ଖେଳାଳି ସୁନିଲ ଗାଭାସ୍କରଙ୍କଠାରୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

କ୍ରୀଡ଼ା କ୍ଷେତ୍ରରେ ଭଲ ଭିତ୍ତିଭୂମି, କୋଚିଂ, ପ୍ରତିଯୋଗିତା ତଥା ପ୍ରତିଭାଧାରୀ କ୍ରୀଡ଼ାବିତଙ୍କ ପାଇଁ ବିଭିନ୍ନ ଉନ୍ନତିମୂଳକ ଯୋଜନା କ୍ଷେତ୍ରରେ ଭଲ ‘ସ୍ପୋର୍ଟସ ମଡେଲ’ ପାଇଁ ଓଡ଼ିଶା ଏହି ସମ୍ମାନଜନକ ସ୍ପୋର୍ଟସ୍‌ ଷ୍ଟାର ପୁରସ୍କାର ହାସଲ କରିଛି।

ଓଡ଼ିଶା ଚତୁର୍ଥ ଥର ପାଇଁ ସ୍ପୋର୍ଟସ୍‌ ଷ୍ଟାରର ଏହି ପୁରସ୍କାର ପାଇଛି। ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ରାଜ୍ୟର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି।

“କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସରକାର ଅଧିକ ଗୁରୁତ୍ୱ ଦେଇ ଏଥିରେ ଅନେକ ଅର୍ଥ ବିନିଯୋଗ କରୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟର କ୍ରୀଡ଼ା ବଜେଟ ୧୦ ଗୁଣ ବଢିଛି। ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହା ୧୨୦୦ କୋଟିରୁ ଅଧିକ ରହିବ। ଓଡ଼ିଶା ହକି ବିଶ୍ଵକପ ଭଳି ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛି। ଆମେ ଖେଳାଳିମାନଙ୍କ ପାଇଁ ବିଶ୍ଵସ୍ତରୀୟ ଭିତ୍ତିଭୂମି ସୁବିଧା ନିର୍ମାଣ କରିବା ସହିତ ବିଭିନ୍ନ ଖେଳପାଇଁ ହାଇ ପରଫରମାନ୍ସ ସେଣ୍ଟର ଓ ପ୍ରତିଯୋଗିତା ଜରିଆରେ ସେମାନଙ୍କ ପ୍ରତିଭାକୁ ବିକାଶ କରିବା ପାଇଁ ଉଦ୍ୟମ ଜାରି ରଖିଛୁ। କ୍ରୀଡ଼ାର ଏହି ଯାତ୍ରାରେ ଓଡ଼ିଶା ସହ ସମସ୍ତେ ସାମିଲ ହୁଅନ୍ତୁ। ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡ଼ାକୁ ନେଇ ବିଶ୍ଵସ୍ତରରେ ଗୌରବ ହାସଲ କରିବା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି,“କ୍ରୀଡ଼ାବିତମାନେ ହେଉଛନ୍ତି ଦେଶର ପ୍ରକୃତ ରାଜଦୂତ, ଯେଉଁମାନେ ବିଶ୍ଵରେ ଭାରତର ଗୌରବକୁ ବଢ଼ାଇଥାନ୍ତି।ଖେଳାଳିମାନଙ୍କ ପରିଶ୍ରମ ତଥା ସେମାନଙ୍କ ଉପଲବ୍ଧିକୁ ସମ୍ମାନ ପ୍ରଦାନ କରିବା କ୍ଷେତ୍ରରେ ସ୍ପୋର୍ଟସ ଷ୍ଟାରର ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ।  ସେମାନଙ୍କୁ ସହଯୋଗ ଯୋଗାଇଦେବା ଓ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ୱ।”

ଏହି କ୍ରୀଡ଼ା ପୁରସ୍କାର କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀରେ ସୁନିଲ ଗାଭାସ୍କରଙ୍କ ସହ ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ଅଭିନବ ବିନ୍ଦ୍ରା, ପୂର୍ବତନ ଫୁଟବଳର ବାଇଚୁଙ୍ଗ ଭୁତିଆ, ଚେସ ଗ୍ରାଣ୍ଡମାଷ୍ଟର ବିଶ୍ଵନାଥନ ଆନନ୍ଦ, ଅଞ୍ଜଳି ଭାଗବତ ଓ ଏମ.ଏମ ସୌମ୍ୟାଙ୍କ ଭଳି ପ୍ରମୁଖ ସଦସ୍ୟ ରହିଥିଲେ।

Tags: #SportsacesAwards2023 #Odisha #BestState #SportsPromotion #NaveenPatnaik #Mumbai

LEAVE A REPLY

Please enter your comment!
Please enter your name here