ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ରଂଗର ପର୍ବ ହୋଲି। ହୋଲି ଖେଳିବାକୁ ସମସ୍ତଙ୍କ ମନରେ ଉତ୍ସାହ। ଗାଁଠାରୁ ସହର ହୋଲି ପାଇଁ ସମସ୍ତେ ପ୍ରସ୍ତୁତ। ସାବଧାନତା ଏବଂ ସତର୍କତା ପାଳନ କରି ରଂଗ ଖେଳର ମଜା ନେବା ଆବଶ୍ୟକ।

ରଂଗର ପର୍ବ ହୋଲି ଖେଳିବା ପାଇଁ ସମସ୍ତେ ଚାହିଁ ରୁହନ୍ତି। ପରିବାର, ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କ ଗହଣରେ ରଂଗ ଖେଳିବାକୁ ବହୁ ପୂର୍ବରୁ ଯୋଜନା ମଧ୍ୟ ସରିଥାଏ। ଏପରିକି ହୋଲି ଦିନ ଶତ୍ରୁ ବି ମତ୍ର ହୋଇ ରଙ୍ଗ ଖେଳରେ ସାମିଲ ହୋଇଯାଏ। ହୋଲି ପର୍ବ ପାଳିବା ଏବଂ ରଂଗ ଖେଳର ମଜା ନେବା ପାଇଁ ସମସ୍ତେ ଚାହିଁରୁହନ୍ତି। କିନ୍ତୁ ରଂଗ ଖେଳିବା ସମୟରେ ସାବଧାନ ନରହିଲେ ଏହା ପରବର୍ତ୍ତୀ ସମୟରେ ବିପଦ ସୃଷ୍ଟି କରିପାରେ। ତେଣୁ ହୋଲି ଖେଳିବା ଏବଂ ରଂଗର ମଜା ନେବା ସମୟରେ କିଛି ଦିଗ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ହୋଲିରେ କେଉଁ ରଂଗ ବ୍ୟବହାର କରିବା?

ହୋଲିରେ ଯେତେ ସମ୍ଭବ କେମିକାଲ ରଂଗର ବ୍ୟବହାର ନକରି କେବଳ ଅବିର ବ୍ୟବହାର କରିବା ଭଲ। ରଙ୍ଗକୁ କିଣିବା ପୂର୍ବରୁ ତାକୁ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ। କାରଣ ରଂଗରେ ରହିଥିବା କେମିକାଲ ତ୍ଵଚାକୁ ନଷ୍ଟ କରିଦିଏ। ରଙ୍ଗ କିଣିବା ସମୟରେ ରଙ୍ଗକୁ ସୁଙ୍ଘିବେ। ଯଦି ସେଥିରୁ ରାସାୟନିକ କିମ୍ବା ପେଟ୍ରୋଲ ବାସ୍ନା ଆସେ ତେବେ ତାହାକୁ ଘରକୁ ଆଣନ୍ତୁ ନାହିଁ

ରଂଗକୁ ପରୀକ୍ଷା କରିବାର ଉପାୟ ହେଉଛି। କେମିକାଲ ମିଶା ରଂଗ ସହଜରେ ପାଣିରେ ମିଶି ନଥାଏ। ରଂଗ କିଣିବା ପୂର୍ବରୁ ଥରୁଟିଏ ଏହାକୁ ପାଣିରେ ପକାଇ ପରୀକ୍ଷା କରି କିଣିବା ଆବଶ୍ୟକ

ହୋଲି ଖେଳରେ ଅର୍ଗାନିକ ରଙ୍ଗର ବ୍ୟବହାର କରନ୍ତୁ। ନିଜ ଘରେ ରଂଗ ପ୍ରସ୍ତୁତ କରି ହୋଲି ଖେଳିବା ଦ୍ଵାରା ତ୍ଵଚା ଖରାପ ହେବାର ଭୟ ମଧ୍ୟ ରହିବ ନାହିଁ।

ଘରେ କେମିତି ପ୍ରସ୍ତୁତ କରିବେ ରଂଗ?

ହଳଦୀରେ ବେସନ ମିଶାଇ ଏଥିରେ ରଙ୍ଗ ପ୍ରସ୍ତୁତ କରାଯାଇପାରିବ। ଏହା ସହ ହଳଦୀରେ ଲେମ୍ବୁ ଚିପୁଡ଼ି ତାକୁ ଶୁଖାଇ ରଂଗ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ। ଗାଁ ଗହଳିରେ ପୋଇ ଫଳକୁ ମଧ୍ୟ ରଂଗ ଭାବେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି

ରଂଗ ଖେଳିବା ପୂର୍ବରୁ କରିବା ଆବଶ୍ୟକ?

ରଂଗ ଖେଳିବା ପୂର୍ବରୁ ଶରୀରରେ ମଶ୍ଚରାଇଜର, ଲୋସନ କିମ୍ବା ନଡ଼ିଆ ତେଲ ଲଗାଇବା ଆବଶ୍ୟକ। ଏହା ଦ୍ଵାରା ତ୍ଵଚା ସୁରକ୍ଷିତ ରହିବା ସହ ଶୀଘ୍ର ରଂଗ ଛାଡ଼ିପାରିବ।

ରଂଗ ଖେଳିବା ସମୟରେ କିଏ ମୁହଁରେ ରଂଗ ଲଗାଏ କିଏ ମୁଣ୍ଡରେ ରଂଗ ଢାଳି ଦିଅନ୍ତି। ମୁଣ୍ଡରେ ରଂଗ ପକାଇବା ଦ୍ଵାରା ଚୁଟି ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ରଂଗ ଖେଳ ପୂର୍ବରୁ ଚୁଟିରେ ତେଲ ଲଗାଇବା କିମ୍ବା ଚୁଟିକୁ କ୍ୟାପ ଦ୍ଵାରା ଢାଙ୍କିବା ଦ୍ଵାରା ଚୁଟିକୁ ସୁରକ୍ଷା ମିଳିପାରିବ

ରଂଗ ଖେଳିବା ସମୟରେ ଯଦି ଆଖିରେ ରଂଗ ପଡ଼ିଯାଏ ତେବେ ତୁରନ୍ତ ଥଣ୍ଡା ପାଣି ଆଖିରେ ଛାଟନ୍ତୁ। ରଂଗ ଖେଳ ପୂର୍ବରୁ ଚଷମା ବ୍ୟବହାର କରିବା ମଧ୍ୟ ଫଳପ୍ରଦ ହୋଇପାରିବ। ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।

ରଂଗ ଖେଳିବାର ସାଙ୍ଗେ ସାଙ୍ଗେ ମୁହଁକୁ ରଗଡ଼ି ଧୋଇବା ଅନୁଚିତ। ଏହା ଦ୍ଵାରା ଚର୍ମ ନଷ୍ଟ ହେବାର ସମ୍ଭାବନା ରହିଛି। ମୁହଁରେ ମୁଲତାନୀ ମାଟି ଲଗାଇ ଏହା ଶୁଖିଯିବା ପରେ ଏହାକୁ ପାଣିରେ ଧୋଇବା ଦ୍ଵାରା ରଂଗ ସହଜରେ ଛାଡ଼ି ଯାଇଥାଏ। ଛୋଟ ପିଲାଙ୍କୁ କେମିକାଲ ମିଶା ରଂଗଠାରୁ ଯଥା ସମ୍ଭବ ଦୂରେଇ ରଖନ୍ତୁ

Tag: #Holi #Colour #HoliCelebration #Precaution #Holi2023

LEAVE A REPLY

Please enter your comment!
Please enter your name here