ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜୟପୁରର ଜଣେ ବ୍ୟବସାୟୀଙ୍କ ପୁଅ ଉପରକୁ ଗତ ୪ ତାରିଖରେ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କୋରାପୁଟ ଏସପି ଅଭିନବ ସୋନକାର।

ମାର୍ଚ୍ଚ ୪ ତାରିଖରେ ୫ ଜଣ ଦୁର୍ବୃତ୍ତ ଜୟପୁରର ଜଣେ ବ୍ୟବସାୟୀ ପବନ ଅଗରଓ୍ଵାଲଙ୍କ ପୁଅ ଆଦର୍ଶଙ୍କ ଉପରକୁ ଗୁଳିମାଡ଼ କରିଥିଲେ। କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଆଦର୍ଶ। ଆଦର୍ଶ କୌଣସି କାମରେ ବାହାରକୁ ଯାଇଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀ ପଣ୍ଡା ଛକ ଡେଙ୍ଗାତୋଟା ମଶାଣି ନିକଟରେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ ହୋଇଥିଲା।

ଘଟଣା ସମ୍ପର୍କରେ ଜୟପୁର ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଘଟଣାସ୍ଥଳରୁ ପୋଲିସ ୨ଟି ଗୁଳି ଜବତ କରିଥିଲା। ଏହା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୋଲିସ ରବିବାର ଦିନ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଖ୍ରୀଷ୍ଟିଆନପେଟାର ଅଭିଜିତ ମହୁରିଆ, ଯମୁନାଗୁଡ଼ର ଫିରୋଜ ନାଗ ଓ  ହାନାଗୁଡ଼ାର ସଚିନ ନାୟକ।

ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଜୟନଗରର ଇମ୍ରାନ ଖାନ ଓ ଜୟପୁର ସହର ବ୍ଲକ କୋଲନିର ଟୁଲୁ ଖୋସଲା ଫେରାର ଅଛନ୍ତି। ଫେରାର ଥିବା ୨ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କଠାରୁ ପିସ୍ତଲ, ମୁଖା, ୪ଟି ସିମ ଜବତ କରାଯାଇଛି।

ପୋଲିସ ସୂଚନା ଅନୁସାରେ ଘଟଣାର କିଛି ଦିନ ପୂର୍ବରୁ ଅଭିଯୁକ୍ତମାନେ ଆଦର୍ଶଙ୍କୁ ଫୋନ କରି ୫୦ ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ଏତେ ଟଙ୍କା ନଥିବା କହିଥିଲେ ଆଦର୍ଶ। ପରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଗତ ୪ ତାରିଖରେ ଦୁର୍ବୃତ୍ତମାନେ ଆଦର୍ଶଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

Tags: #Jeypure #Koraput #Police #Gunshoot #Attack

Comment