ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ବୁଧବାର ଏଫଆଇଏଚ୍ ପ୍ରୋ-ଲିଗ ହକିର ଶେଷ ମ୍ୟାଚ ଖେଳାଯିବ। ସାନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବାକୁଥିବା ଏହି ମୁକବିଲାରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ମ୍ୟାଚରେ ହକିପ୍ରେମୀମାନେ ଦୁଇ ଦଳଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଟକ୍କର ଦେଖିବାକୁ ପାଇବେ।

ପ୍ରୋ-ଲିଗରେ ଭାରତୀୟ ଦଳର ପ୍ରଦର୍ଶନ ବହୁତ ଭଲ ରହଛି। ଲିଗରେ ଦଳ ଚମତ୍କାର ଭାବେ ବିଶ୍ଵ ଚାମ୍ପିୟନ ଜର୍ମାନୀକୁ ଦୁଇଥର ପରାସ୍ତ କରିଛି। ଏହାଛଡ଼ା ଟିମ୍ ଇଣ୍ଡିଆ ଲିଗରେ ଅଷ୍ଟ୍ରେଲିଆକୁ ମଧ୍ୟ ହରାଇଥିଲା। ଦୁଇଟି ମ୍ୟାଚରେ ଜର୍ମାନୀକୁ ହରାଇ ଦଳର ମନୋବଳ ଭଲ ଅଛି। ତେବେ ବୁଧବାର ଦଳ ନିଜର ବିଜୟଧାରାକୁ ଜାରି ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଭାରତୀୟ ଦଳରେ ଏବେ ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଯୁଗରାଜ ସିଂହ, ସେଲଭମ କାର୍ଥି, ଅଭିଷେକଙ୍କ ଭଳି ଖେଳାଳି ଲିଗର ପୂର୍ବ ମ୍ୟାଚଗୁଡ଼ିକରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମଧ୍ୟ ଏ ସବୁ ଖେଳାଳି ଚମକିବେ ବୋଲି ଆଶା କରାଯାଉଛି।

ଅନ୍ୟପଟେ ପ୍ରୋ ଲିଗରେ ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ ଜିତିଛି। ଦଳର ଖେଳାଳିମାନେ ପୂର୍ବ ମ୍ୟାଚଗୁଡ଼ିକରେ ପ୍ରତିପକ୍ଷ ଦଳ ସହ କଡ଼ା ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା। ଅଧିନାୟକ ଆରେନ ଜେଲ୍ୟୁସ୍କିଙ୍କ ନେତୃତ୍ଵରେ ଦଳ ବୁଧବାର ମ୍ୟାଚରେ ଭାରତକୁ କଡ଼ା ଟକ୍କର ଦେବ। ଭାରତ ୨୦୨୨-୨୩ ଏଫଆଇଏଚ୍ ପ୍ରୋ-ଲିଗରେ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ଦଳ ଲିଗରେ ୭ଟି ମ୍ୟାଚ ଖେଳି ୬ଟି ଜିତିଛି ଓ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି। ଜୁଲାଇ ମାସରେ ପ୍ରୋ-ଲିଗ ଶେଷ ବେଳକୁ ଯଦି ଭାରତ ନିଜର ପ୍ରଥମ ସ୍ଥାନ ବଜାୟ ରଖେ ତେବେ ଲିଗର ନୂତନ ଚାମ୍ପିୟନ ହେବ।

Tags: #FIHProLeagueHockey #IndvsAus #Hockey #TeamIndia #HockeyIndia #BirsaMundaHockeyStadium

Comment